ଜେଲରୁ ମହାଠକ ସୁକେଶ ଲେଖିଲେ ଆଉ ଏକ ଚିଠି, ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ସହାୟତା ଦେବାକୁ ମାଗିଲେ ଅନୁମତି

1,940

କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଏକ ଚିଠିଲେଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏପର୍ଯ୍ୟନ୍ତ ସୁକେଶ ଜେଲରେ ଥାଇ ଆମ୍ ଆଦାମୀ ପାର୍ଟିକୁ ନେଇ ନୂଆ ନୂଆ ଖୁଲାସା କରୁଥିବା ବେଳେ ଏବେ ଏକ ଚିଠି ରେଳ ବିଭାଗ ନାମରେ ଲେଖିଛନ୍ତି । ମଣ୍ଡୋଲୀ ଜେଲରେ ବନ୍ଦିଥିବା ସୁକେଶ ଏବେ ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ପୀଡିତ ଓ ମୃତକଙ୍କ ପରିବାରକୁ ୧୦ କୋଟି ଟଙ୍କା ସହାୟତା ଦେବାକୁ ଇଚ୍ଛା କରିଛନ୍ତି ।

ନିଜ ଓକିଲ ମାଧ୍ୟମରେ ଜାରି କରିଥିବା ଏହି ଚିଠିରେ ସୁକେଶ ଲେଖିଛନ୍ତି କି, ବାହାନଗା ରେଳ ଦୁର୍ଘଟଣା ଏକ ଦଃଖଦ ଘଟଣା । ଏହି ଦୁର୍ଘଟଣାକୁ ନେଇ ସେ ଦୁଖ ପ୍ରକାଶ କରିଛନ୍ତି । ହେଲେ ରେଳ ଦୁର୍ଘଟଣା ପରେ ସରକାର ଯେଭଳି ଉଦ୍ଧାର କାର୍ଯ୍ୟ ଓ ସହାୟତା ରାଶି ତୁରନ୍ତ ଘୋଷଣା କଲେ ତାହାକୁ ନେଇ ସୁକେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ସେପଟେ ସୁକେଶ ଚିଠିରେ ଲେଖିଛନ୍ତି କି, ସରକାର ପ୍ରଥମର ସମସ୍ତ ପୀଡିତ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି । ହେଲେ ଦେଶର ଜଣେ ନାଗରିକ ଭାବେ ସେ ପୀଡିତ ପରିବାରକୁ ୧୦ କୋଟି ଟଙ୍କା ସହାୟତା ଦେବାକୁ ଚାହିଁଛନ୍ତି । ଏହି ଟଙ୍କା ବିଶେଷ ଭାବେ ପୀଡିତ ପରିବାରର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।