ସୁକିନ୍ଦାର ସଫଳ ଚାଷୀ ଦିଲ୍ଲିପ ମହାନ୍ତି । ବିଦେଶୀ କୋଳି ଚାଷ କରି ଏବେ ଚର୍ଚ୍ଚାରେ । 

178

କନକ ବ୍ୟୁରୋ: ମନଦେଇ ଚାଷ କଲେ ଚାଷରୁ ମଧ୍ୟ ଜଣେ ଆଶାନୁରୂପ ଅର୍ଥ ରୋଜଗାର କରିପାରିବ । ଯାହା କରି ଦେଖାଇଛନ୍ତି କଟକ ଜିଲ୍ଲା ନିଆଳି ଅଂଚଳର ଚାଷୀ ଦିଲ୍ଲିପ୍ ମହାନ୍ତି । ଘର ନିଆଳିରେ ହୋଇଥିଲେ ବି ଯାଜପୁରର ସୁକିନ୍ଦା ବ୍ଲକ୍ କରଡାପାଳ ଅଂଚଳରେ ଥିବା ତାଙ୍କ ଶ୍ୱଶୁର ଘର ଜମିରେ ସଫଳ ଚାଷର ନମୁନା କରି ଦେଖାଇଛନ୍ତି । କେବଳ ନିଜେ ନୁହେଁ ଏହି ଗାଁର ୧୦ରୁ ଉର୍ଦ୍ଧ ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିଛନ୍ତି । ପ୍ରଥମେ ସେ ଘୁଷୁରୀ ଚାଷ କରୁଥିଲେ। ଏବେ ତା ସହିତ କରୁଛନ୍ତି କୋଳି ଚାଷ, ପନିପରିବା ଚାଷ ଓ ମାଛ ଚାଷ । ଥାଇଲାଣ୍ଡ, ବଙ୍ଗଳାଦେଶ ପ୍ରଭୃତି ଦେଶବିଦେଶର କୋଳି ଚାଷ କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲିପ୍  । ବିଭିନ୍ନ ପ୍ରକାର ଉନ୍ନତ ମାନର ଚାଷ କରି ସେ ଆଜି ଜଣେ ସଫଳ ଚାଷୀ ଭାବେ ବେଶ୍ ସୁନାମ ଅର୍ଜନ କରିପାରିଛନ୍ତି ।

୭ଏକର ଜମିରେ ଫଳିଛି ବାଇଗଣ, ଝୁଡଙ୍ଗ, କ୍ୟାପସିକମ୍, ଲଙ୍କା, ଟମାଟୋ ଭଳି ଭିନ୍ନ ଭିନ୍ନ ପ୍ରକାରର ପନିପରିବା । କେବଳ ଏତିକି ନୁହେଁ ମାଛ ଚାଷ ଏବଂ ଘୁଷୁରୀ ଫାର୍ମ ବି ରହିଛି । ଏଥିସହ ଥାଇଲାଣ୍ଡ ଓ ବାଙ୍ଗଲାଦେଶ୍ର ବିଭିନ୍ନ ପ୍ରକାର କୋଳି ଗଛ ରହିଛି । ଏ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା କରଡାପାଳ ଗାଁ ଦିଲ୍ଲୀପ ମହାନ୍ତିଙ୍କ ଫାର୍ମ । କରୋନା ଯୋଗୁଁ ତାଲାବନ୍ଦ ହେବା ପରେ ଘରେ ନ ବସି ଚାଷ ପ୍ରତି ମନ ବଳାଇଥିଲେ   ଦିଲ୍ଲୀପ । ଆଉ ଏହି ସମୟରେ କେବଳ ପନିପରିବା, ମାଛ ଚାଷ  ନକରି ବିଦେଶର କିଛି କୋଳି ଚାଷ ବି କରିଛନ୍ତି ।

ଚାଷରୁ ବି ଜଣେ ଭଲ ଅର୍ଥ ଉପାର୍ଜନ କରିପାରେ । ଚାକିରିରୁ ଯାହା ନମିଳିପାରିବ ତାହା ଚାଷରୁ ହିଁ ମିଳିପାରିବ  । ଏହା ପ୍ରମାଣ କରି ଦେଖାଇଛନ୍ତି ନିଆଳିର ଚାଷୀ ଦିଲ୍ଲିପ୍ ମହାନ୍ତି  । ନିଜର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଦିଲ୍ଲିପ୍ ଆଜି ଚାଷକାମରେ ସଫଳତା ପାଇ ପାରିଛନ୍ତି  । କରଡାପାଳ ଭଳି ଏକ ପାହାଡିଆ ଅଂଚଳରେ କମ୍ ପାଣି ବ୍ୟବହାର କରି ଅତ୍ୟାଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ କରି ସେ ଆଜି ଭଲ ଲାଭବାନ୍ ହୋଇପାରିଛନ୍ତି  । ରାସାୟନିକ ସାର ଔଷଧ ବ୍ୟବହାର କରିବା ପରିବର୍ତ୍ତେ ଘୁଷୁରୀ ଓ ଗାଈ ଗୋବର ବ୍ୟବହାର କରି ସେ କରିଛନ୍ତି ଏହି ଚାଷ । ସବୁଠୁ ବଡ କଥା ହେଉଛି ଏହି ଫାର୍ମରେ ସେ ଲୋକଙ୍କୁ ନିଯୁକ୍ତି ବି ଦେଇଛନ୍ତି ।

ଚାଷୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି । ବେକାର ଲୋକ ଚାକିରି ପଛରେ ନଯାଇ କୃଷି କାର୍ଯ୍ୟରେ ମନବଳାଇଲେ ଜିଲ୍ଲା ତଥା ରାଜ୍ୟରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରନ୍ତା  । କୋରୋନା ମହାମାରୀ ଭଳି ବିପତି ସମୟରେ ଏଭଳି ଶିକ୍ଷା ଦେଇଛନ୍ତି ଏହି ଶିକ୍ଷିତ ଚାଷୀ ଦିଲ୍ଲିପ୍ ମହାନ୍ତି  ।