ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ସ୍କିମ ଟଙ୍କା । ୧୦୦ ଦିନ ଭିତରେ ହେବ ଲଞ୍ଚ୍ । ବଡ ବୟାନ ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

1,870

କନକ ବ୍ୟୁରୋ: ସୁଭଦ୍ରା ଯୋଜନା ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ।

ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ଏହି ଯୋଜନାର ଲାଭ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମର ଟଙ୍କା ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ୭ ଦିନ ଭିତରେ ମିଶନ୍ ଶକ୍ତିର ମାଆମାନେ ଅଢେଇ କୋଟି ଗଛ ଲଗାଇବେ । ଏନେଇ ହର୍ଟି କଲଚର, କୃଷି ବିଭାଗ, ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡିକୁ ମିଶନ୍ ଶକ୍ତି ମାଆମାନଙ୍କୁ ଯୋଗାଇ ଦେବାକୁ ଉପ-ମୁଖ୍ୟମନ୍ତ୍ରୀ ଚିଠି ଲେଖିବେ ବୋଲି ସୂଚନା ମିଳିଛି । ସେ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଇଁ ସାଢେ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ଅଢେ଼ଇ କୋଟି ଗଛ ଲଗେଇବେ ମିଶନ ଶକ୍ତିର ମହିଳା ମାନେ । ମିଶନ ଶକ୍ତିର ମାଆ ମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।