ଗର୍ଭନିରୋଧ ପାଇଁ ନୂଆ ଉପାୟ: ଜନସଂଖ୍ୟା ବୃଦ୍ଧିରେ ରୋକ ପାଇଁ ଓଡ଼ିଶାରେ ଲଞ୍ଚ ହେଲା ‘ସବଡେରମଲ ଇମପ୍ଲାଣ୍ଟ’

2,128

କନକ ବ୍ୟୁରୋ: ଜନସଂଖ୍ୟା ବୃଦ୍ଧିରେ ରୋକ ଲଗାଇବା ପାଇଁ ଓଡ଼ିଶାରେ ଲଂଚ ହେଲା କେନ୍ଦ୍ର ସରକାରଙ୍କ ନୂଆ ପାଇଲଟ ଯୋଜନା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ପରିବାର ନିୟୋଜନ ‘ସବଡେରମଲ ଇମପ୍ଲାଂଟ’ ପ୍ରୟୋଗ କରାଯାଇଛି । ରାଜ୍ୟର ପ୍ରଥମ କରି କଟକ ଏବଂ ଗଜପତି ଜିଲ୍ଲାରେ ଏହାର ପ୍ରୟୋଗ କରାଯିବ । ରାଜ୍ୟ ସରକାର ନେଇଥିବା ନିଷ୍ପତି ଆଧାରରେ ଆଜି ଜିଲ୍ଲାରେ ପ୍ରଥମ କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ସଫଳତାର ସହିତ ୫ଜଣ ମହିଳାଙ୍କ ଠାରେ ପ୍ରୟୋଗ କରାଯାଇଛି । ଏହା ସଂପୂର୍ଣ୍ଣ ଭାବେ ମାଗଣା ବୋଲି କହିଥିଲେ ଅନୁଷ୍ଠିତ ପ୍ରୟୋଗ ଓ ସଚେତନତା କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ବିଜୟ କୁମାର ମିଶ୍ର । ଏହା ସହିତ ଏହି ଇନପ୍ଲାଂଟକୁ କାର୍ଯ୍ୟକ୍ଷମ କରୁଥିବା ଡାକ୍ତର ଦିଲ୍ଲିପ ପାତ୍ର ଯୋଗଦେଇ କହିଥିଲେ ସବଡେରମାଲର କାର୍ଯ୍ୟକ୍ଷମତା ୩ ବର୍ଷ ରହିଛି । ଏହାକୁ ସହଜରେ ମହିଳାଙ୍କ ଶରୀରର ହାତର ଉପରି ଭାଗରେ ଇନପ୍ଲାଂଟ କରାଯାଉଥିବା ବେଳେ ମହିଳାମାନେ ଦରକାର କଲେ ଏହାକୁ ସହଜରେ ମଧ୍ୟ କଢ଼ାଯାଇ ପାରିବ । କାଢ଼ିବା ବେଳେ ମହିଳାଙ୍କୁ କୌଣସି ଭାବେ କଷ୍ଟ ସହିବାକୁ ପଡ଼ିନଥାଏ । ସେ ତାଙ୍କ ଦୈନଦିନ କାର୍ଯ୍ୟ ସୁରୁଖୁରରେ କରିପାରିବେ । ଏହା ଏକ ଏଭଳି ହରମନ ଯାହାକି ସେ ମହିଳାଙ୍କ ଦେହରେ ଥିବା ପର୍ଯ୍ୟନ୍ତ ମା’ମାନଙ୍କ ଠାରେ ଗର୍ଭ ସଂଚାର କରିବାରେ ରୋକ ଲଗାଇଥାଏ ।

କ’ଣ ଏହି ଇମ୍ପ୍ଲାଂଟ ପ୍ରକ୍ରିୟା?
– ଏହା ଏକ ଗର୍ଭ ନିରୋଧକ ପ୍ରକ୍ରିୟା
– ଏଥିରେ ଏକ ଛୋଟ ପ୍ଲାଷ୍ଟିକ୍ ରଡ୍ ବ୍ୟବହାର କରାଯାଏ
– ଯାହା ମହିଳାଙ୍କ ହାତର ବାହୁରେ ଖଂଜି ଦିଆଯାଏ
– ମହିଳାଙ୍କ ଶରୀରରେ ୩ ବର୍ଷ ଧରି ରୁହେ
– ଏଥିରୁ ପ୍ରୋଜେଷ୍ଟିନ୍ ହରମୋନ୍ ଝରିଥାଏ
– ଯାହା ଗର୍ଭଧାରଣକୁ ରୋକିବାରେ ସହାୟକ ହୁଏ
– ଏହି ପ୍ରକିୟା ୯୯% ସଫଳ ବୋଲି କୁହାଯାଏ
– ଏହା ୩ ବର୍ଷ ଧରି କାମ କରେ
– ତେବେ ଏହା ଋତୁସ୍ରାବ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ