କେନ୍ଦ୍ରୀୟ ବିଦ୍ୟାଳୟରେ ସୀମା ଡେଇଁଲା ମାନବିକତା : ମିଟିଂକୁ ଅଭିଭାବକ ଆସିଲେନି ବୋଲି ବାହାରେ ବର୍ଷାରେ ପିଲାଙ୍କୁ ଠିଆ କରାଇଲେ ସ୍କୁଲ କର୍ତ୍ତୃପକ୍ଷ

370

କନକ ବୁରୋ : ସ୍କୁଲ ବୈଠକକୁ ଅଭିଭାବକ ଆସିଲେନି । ତେଣୁ ଛାତ୍ରଛାତ୍ରୀଙ୍କୁ ବାହାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ବୌଦ୍ଧ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଗୁରୁବାର ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଏକ ବୈଠକ ଡାକିଥିଲେ । ମାତ୍ର ବହୁତ କମ ସଂଖ୍ୟକ ଅଭିଭାବକ ଏହି ବୈଠକରେ ଉପସ୍ଥିତ ଥିଲେ । ଏହାପରେ ଯେଉଁ ପିଲାର ଅଭିଭାବକ ଆସିନଥିଲେ ତାଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ନଦେଇ ବାହାରେ ଛିଡ଼ା କରିଥିଲେ ।

ତେବେ ବାହାରେ ବର୍ଷା ହେଉଥିବାରୁ ଛାତ୍ରଛାତ୍ରୀ ମାନେ ଗଛମୂଳେ ଆଶ୍ରୟ ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଖବର ପାଇ ଅଭିଭାବକ ମାନେ ପହଞ୍ଚି ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସ୍କୁଲରେ ସ୍ଥାୟୀ ପ୍ରିନ୍ସିପାଲ ନଥିବା ବେଳେ ଅସ୍ଥାୟୀ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ଏହି ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।