ଭଙ୍ଗା ଖୁଣ୍ଟରେ ଝୁଲିଛି ଶ୍ରେଣୀ ଗୃହ: ଖସୁଛି ସିମେଣ୍ଟ ଖଣ୍ଡ, ଗଳୁଛି ପାଣି । ଖୁବଶିଘ୍ର ମରାମତି କରିବାକୁ ଦାବି

65

କନକ ବ୍ୟୁରୋ: ସ୍କୁଲରେ ପିଲା ଅଛନ୍ତି , ପାଠ ପଢା ବି ଚାଲିଛି । ହେଲେ ତାହା ବିପଦସଙ୍କୁଳ ଅବସ୍ଥାରେ ହେଉଛି । ବିଦ୍ୟାଳୟର ଶ୍ରେଣୀ ଗୃହ ଭଙ୍ଗା ଖୁଂଟରେ ଝୁଲିରହିଛି । କେତେବେଳେ କଣ ଅଘଟଣ ଘଟିବ ସେ ନେଇ କିଛି କହିହେବନି । କୋରାପୁଟ ଦାମନଯୋଡି ଲିଟିଗୁଡା ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ ଏମିତି ଚାଲିଛି ପାଠପଢା । ଏହି ବିଦ୍ୟାଳୟରେ ପ୍ରାୟ ୩ଶହରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ପିଲା ପାଠ ପଢୁଥିବା ଶ୍ରେଣୀଗୃହରୁ ସିମେଂଟ ଖଣ୍ଡ ଝଡୁଥିବା ବେଳେ ପାଣି ବି ଗଳୁଛି । ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୮୦ ଜଣ ପିଲା । ନାଲକୋ ଅନୁଦାନରେ କିଛି ଦିନ ବିଦ୍ୟାଳୟ ଚାଲିଥିଲା ହେଲେ ଏବେ ବିଦ୍ୟାଳୟ ରହିଯାଇଛି ପ୍ରଶାସନ ଦୃଷ୍ଟି ଆଢୁଆଳରେ । କିଛି ଶ୍ରେଣୀଗୃହ ସମ୍ପୁର୍ଣର୍ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ପିଲାମାନଙ୍କୁ ଅନ୍ୟ ସ୍ଥାନରେ ନେଇ ପାଠପଢା ହେଉଛି । ସବୁଠୁ ବଡ଼ କଥା ହେଲା ବହୁ ପୁରୁଣା ଏହି ବିଦ୍ୟାଳୟ ସମସ୍ତ ସରକାରୀ ନିୟମ ଅନୁଯାୟୀ ଚାଲିଛି । ହେଲେ ଏପର୍ଯ୍ୟନ୍ତ ସରକାରୀ ଅନୁଦାନ ପ୍ରାପ୍ତ ହୋଇପାରିନାହିଁ । ଯାହାଫଳରେ ସ୍କୁଲରେ ଏହିଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି । କେତେବେଳେ କେଉଁ ମୁହୁର୍ତରେ ଏହି ବିଦ୍ୟାଳୟ ଭୁଷୁଡିବ ତାହା କହିହେବନାହିଁ । କିଛି ଶ୍ରେଣୀ ଗୃହରେ ଭୟରେ କାଠ ଖୁଂଟ ଦେଇ ଅବରୋଧ କରାଯାଇଛି । ସେପଟେ ଅଭିଯୋଗ ଶୁଣିବା ପରେ ଖୁବଶିଘ୍ର ନୂଆ ଘର ତିଆରି କରାଯିବାର ମିଳିଛି ପ୍ରତିଶ୍ରୁତି ।