ସମୟର ତାଡ଼ନାରେ କ୍ଷୀର ବିକ୍ରି କରୁଥିଲେ, ଆଉ ଏବେ ସେ ବନ୍ଧନ ବ୍ୟାଙ୍କର ସିଇଓ ! ଜାଣନ୍ତୁ ଚନ୍ଦ୍ରଶେଖର ଘୋଷଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ଦାରିଦ୍ର୍ୟର କଷାଘାତ ଅନେକ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାର ବାଟ ଦେଖାଇଥାଏ । ବନ୍ଧନ ବ୍ୟାଙ୍କର ସିଇଓ ତଥା ଏମ୍ଡି ଚନ୍ଦ୍ରଶେଖର ଘୋଷ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଗ୍ରେଟର ତ୍ରିପୁରାର ଏକ ଗ୍ରାମରେ ୧୯୬୦ ମସିହାରେ ଚନ୍ଦ୍ର ଶେଖର ଜନ୍ମ ହୋଇଥିଲେ । ୬ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବଡ଼ । ତାଙ୍କ ବାପାଙ୍କର ଗୋଟିଏ ଛୋଟ ମିଠା ଦୋକାନ ଥିଲା ଯେଉଁଥିରୁ ତାଙ୍କ ପରିବାର ଚଳୁଥିଲା । ତେବେ ଚନ୍ଦ୍ର ଶେଖର ତାଙ୍କ ନିଜ ଖର୍ଚ ବାହାର କରିବା ପାଇଁ ଟ୍ୟୁସନ କରିବା ସହିତ କ୍ଷୀର ମଧ୍ୟ ବିକ୍ରି କରୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଂଲାଦେଶର ଢାକା ବିଶ୍ୱବିଦ୍ୟାଳୟରେ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରି ପାଠ ପଢ଼ୁଥିବା ବେଳେ ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ସେ ବିଶ୍ୱବିଦ୍ୟାଳୟରେ ଥିବା ଏକ ମନ୍ଦିର ପରିସରରେ ରହୁଥିଲେ । ଥରେ ତାଙ୍କର ସାଇକଲ ସେଠାରୁ ଚୋରି ହୋଇଗଲା । ବିଶ୍ୱବିଦ୍ୟାଳୟର ପ୍ରଫେସର ବୋରହାନ୍ ଉଦ୍ଦିନ୍ ତାଙ୍କର ପୁରୁଣା ଫିନିକ୍ସ ସାଇକଲ୍ ତାଙ୍କୁ ଦେଇଥିଲେ । ସାଇକଲ୍ ଚଲାଉଥିବା ସେହି ଛାତ୍ର ଜଣକ ବର୍ତ୍ତମାନ ଭାରତର ଏକ ନୂଆ ପିଢ଼ିର ବଡ଼ ଘରୋଇ ବ୍ୟାଙ୍କର ମାଲିକ । ତାଙ୍କ ଘରେ ଏବେ ଟୟୋଟା ଫର୍ଚୁନର୍ଠାରୁ ଆରମ୍ଭ କରି ଲ୍ୟାଣ୍ଡ୍ରୋଭର୍ ପର୍ଯ୍ୟନ୍ତ ଦାମୀ କାର୍ ରହିଛି ।
ନିଜ ପାଠପଢ଼ା ଶେଷ ହେବା ପରେ ଢାକାର ଏକ ଏନ୍ଜିଓରେ ଚନ୍ଦ୍ରଶେଖର କାମ କରିଥିଲେ । ସେଠାରୁ ସେ ଯେଉଁ ଅନୁଭୂତି ଲାଭ କରିଥିଲେ ସେଥିରୁ ହିଁ ବନ୍ଧନ ବ୍ୟାଙ୍କ ଜନ୍ମ ହୋଇଥିଲା ବୋଲି କୁହାଯାଏ । ସେ ପଶ୍ଚିମବଙ୍ଗରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ବେଶ କିଛିବର୍ଷ କାର୍ଯ୍ୟ କରିବା ପରେ ବନ୍ଧନ-କୋନାଗର ନାମରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନି ଆରମ୍ଭ କରିଥିଲେ । ୨ ଲକ୍ଷ ଟଙ୍କାର ପାଣ୍ଠିକୁ ନେଇ ସେ ଏହି ସଂସ୍ଥା ୨୦୦୧ ମସିହାରେ ଆରମ୍ଭ କରିଥିଲେ । ଏହି ପାଣ୍ଠିରୁ ଅଧିକାଂଶ ଅର୍ଥ ସେ ତାଙ୍କ ବନ୍ଧୁ ଓ ପ୍ରିୟଜନଙ୍କଠାରୁ ସଂଗ୍ରହ କରିଥିଲେ । ଏହି ଟଙ୍କାକୁ ସେ ଗରିବ ମହିଳାଙ୍କୁ ଋଣ ଆକାରରେ ଦେଉଥିଲେ ।
ସେ ୨୦୦୯ରେ ବନ୍ଧନକୁ ଏକ ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନି ଭାବେ ପଞ୍ଜୀକୃତ କରିଥିଲେ । ଏହାପରେ ବ୍ୟାଙ୍କ ଲାଇସେନ୍ସ ପାଇବା କ୍ଷେତ୍ରରେ ବନ୍ଧନ ଥିଲା ପ୍ରଥମ ମାଇକ୍ରୋଫାଇନାନ୍ସ ପ୍ରତିଷ୍ଠାନ । ଏବେ ବନ୍ଧନ ବ୍ୟାଙ୍କର ଆଇପିଓ ଷ୍ଟକ ବଜାରରେ ବହୁତ ହିଟ୍ ହୋଇଛି । ଏଥି ସହିତ ଦେଶର କିଛି ବ୍ୟାଙ୍କ ତାଲିକାରେ ବନ୍ଧନ ବ୍ୟାଙ୍କ ପ୍ରବେଶ କରିଛି ।