ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ । ସ୍ଥିତି ସମୀକ୍ଷା କଲେ ଆଇନ ମନ୍ତ୍ରୀ । ଏପଟେ ରଥଯାତ୍ରା ପାଇଁ ବୈଠକ

150

କନକ ବ୍ୟୁରୋ: ନୂଆ ସରକାର ଆସିଲା । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା । କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଯେଉଁଭଳି ଛୁଟିଛି ଆଉ ଏହାକୁ ନେଇ ଦର୍ଶନ ବ୍ୟବସ୍ଥାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ତାହା ଏବେ ସବୁଠି ଚର୍ଚ୍ଚା । କାରଣ ଆଗକୁ ରଥଯାତ୍ରା ରହିଛି । ତେଣୁ ଭିଡ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ନୂଆ ସରକାର ପାଇଁ ବଡ଼ ଆହ୍ୱାନ ପାଲଟିଛି ।

  • ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ନୂଆ ଆହ୍ୱାନ
  • ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି । କିନ୍ତୁ ଯେଉଁଭଳି ଶ୍ରଦ୍ଧାଳୁଙ୍କ ଗହଳି ରହିଛି ତାହା ଏବେ ନୂଆ ସରକାର ପାଇଁ ବଡ ଆହ୍ୱାନ ପାଲଟିଛି । ରଜ ଛୁଟି ସହିତ ଅନ୍ୟାନ୍ୟ କାରଣରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏହାକୁ ଆଖିରେ ରଖି ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି । ଭିଡକୁ ଦେଖି ଭୁବନେଶ୍ୱରରେ ଏଡିଜି ଲ ଆଣ୍ଡ ଅର୍ଡର ସଂଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ସେଂଟ୍ରାଲ ଆଇଜି ପୁରା ଘଟଣାର ତର୍ଜମା କରିଛନ୍ତି ।

ମନ୍ଦିର ଭିତରେ ଏବଂ ବାହାରେ ପୋଲିସ ମୁତୟନ ରଖିବାକୁ ନିଷ୍ପତି ହୋଇଛି । ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭିଡ ପାଇଁ ଶ୍ରଦ୍ଧାଳୁ ଯେପରି ଭୟଭୀତ ନହେବେ ସେଥିପ୍ରତି ସଜାଗ ହୋଇଛି ପ୍ରଶାସନ । ସେପଟେ ଆଇନମନ୍ତ୍ରୀ ଭାବେ ଶପଥ ନେବା ପରେ ପୃଥ୍ୱୀରାଜ ହରିଚନ୍ଦନ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ସମୀକ୍ଷା କରିିଛନ୍ତି ।

  • ଗୋଟିଏ ଦିନରେ ରଥଯାତ୍ରା ଓ ନବଯୌବନ ବେଶ
  • ୫୩ ବର୍ଷ ପରେ ବିଶ୍ୱ ଦେଖିବ ବିରଳ ଘୋଷଯାତ୍ରା

ରଥଯାତ୍ରା ପାଇଁ ସୋମବାର ବୈଠକ ବସିଛି । ନୀତିକାନ୍ତିଠୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଛି । ସେହିପରି ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ଯାଏଁ କିଭଳି ସୁବ୍ୟବସ୍ଥା ହେବ ଆଲୋଚନା ହୋଇଛି । ଦଇତାପତି ନିଯୋଗର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ । ସ୍ନାନ ପୂର୍ଣ୍ଣିମାରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ଅନ୍ୟ ସମସ୍ତ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି ।

ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ନୂଆ ବ୍ୟବସ୍ଥା ଲାଗୁ ହେବାରୁ ଭକ୍ତଙ୍କ ମଧ୍ୟରେ ବଡ ଉତ୍ସାହ ରହିଛି । ଏପରି ସ୍ଥିତିରେ ଦେଖାଦେଇଥିବା ସମସ୍ୟାକୁ ସରକାର କିଭଳି ସମାଧାନ କରୁଛନ୍ତି ତାକୁ ଅପେକ୍ଷା ।