ଢେଙ୍କାନାଳ ଟାଟା ପାୱାର ପ୍ଲାଣ୍ଟରେ ବଡ଼ ଅଘଟଣ । ଷ୍ଟିମ ପାଇପ ଫାଟିଯିବାରୁ ୧୯ ଆହାତ, ୩ ଗୁରୁତର

523

କନକ ବ୍ୟୁରୋ : ପାୱାର ପ୍ଲାଣ୍ଟ ଭିତରେ ଚାଲିଥିଲା ମରାମତି କାମ । କାମରେ ନିୟୋଜିତ ଥିଲେ ପ୍ରାୟ ୧୯ ଜଣ ଇଂଜିନିୟର ଏବଂ ଶ୍ରମିକ । ଷ୍ଟିମ୍ ପାଇପର ମରାମତି ସମୟରେ ଅଚାନକ୍ ଘଟିଗଲା ଅଘଟଣ । ଭଲଭ୍ ଫାଟି ଯିବାରୁ, ଅଚନାକ୍ ବହୁତ ଜୋରରେ ହୋଇଥିଲା ଶବ୍ଦ । କ’ଣ ଘଟିଛି ଦେଖିଲା ବେଳକୁ ଗରମ ପାଣି ଓ ଗ୍ୟାସ ମାଡ଼ରେ ଆହତ ହୋଇସାରିଥିଲେ ୧୯ ଜଣ । କିଏ ଗୁରୁତର ହୋଇଥିଲା, ତ ଆଉ କିଏ ଆହତ ହୋଇଥିଲେ । ଆହତ ହୋଇଥିବା କର୍ମଚାରୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ନିଆଯାଇଛି । ପ୍ରଥମେ ପ୍ଳାଣ୍ଟରେ ଥିବା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।

ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି । ଘଟଣାର ଗୁୁରୁତ୍ୱକୁ ଦେଖି ହସ୍ପିଟାଲ ପହଂଚି ରୋଗୀଙ୍କ ଅବସ୍ଥା ପଚାରି ବୁଝିଛନ୍ତି କଟକ ଜିଲ୍ଲାପାଳ । ସେହିପରି ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ହସ୍ପିଟାଲରେ ପହଂଚିଛନ୍ତି ।

ଏପଟେ ଟାଟା ଷ୍ଟିଲ୍ ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟିରକଣ ରଖାଯାଇଛି । ଏଥିରେ କୁହାଯାଇଛି- ଦୁର୍ଘଟଣା କାହିଁକି ଓ କେମିତି ଘଟିଲା, ସେନେଇ ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବାକୁ ତ୍ୱରାନ୍ୱିତ କରାଯାଇଥିଲା । ଘଟଣାରେ ଆହତ ହୋଇଥିବା କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ବୋଲି ସୂଚନା ଦିଆଯାଇଛି । ବଡ଼ କଥା ହେଉଛି- ୨୦୧୧ ମସିହାରେ ମଧ୍ୟ ସମାନ ଧରଣର ଏକ ଅଘଟଣ ଘଟିଥିଲା । ଭୁଷଣ ଷ୍ଟିଲ୍ ବିସ୍ଫୋରଣ ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା । ପରବର୍ତୀ ସମୟରେ ଭୁଷଣର ସେହି ପ୍ଲାଂଟକୁ ଟାଟା କିଣିଥିଲା ।