ବାରଣ୍ଡାରେ ଶୋଇବେନି ରୋଗୀ, କ୍ୟାପିଟାଲ ହସ୍ପିଟାଲରେ ପଡିଲା ୧୦୦ ନୂଆ ବେଡ୍

81

କନକ ବ୍ୟୁରୋ : ହସପିଟାଲ ବାରଣ୍ଡାରେ ପଡିଲା ବେଡ୍ । ଏଭଳି ଦୃଶ୍ୟ ରାଜ୍ୟର ଅନ୍ୟ କୌଣସି ହସପିଟାଲ ନୁହେଁ ବରଂ ଭୁବନେଶ୍ୱରର ପ୍ରମୁଖ ହସପିଟାଲରେ କ୍ୟାପିଟାଲ ହସପିଟାଲରେ ଦେଖିବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଗଡ଼ିବେନି ରୋଗୀ । ଏଣିକି, ବାରଣ୍ଡାରେ ଚିକିତ୍ସା ହେଲେ ବି ରୋଗୀ ବେଡ଼ ଉପରେ ଶୋଇବେ । ଏହି ବିଭାଗ ଗୁଡ଼ିକରେ ଅଧିକାଂଶ ସମୟରେ ବେଡ ଅଭାବ ଦେଖାଦେଉଥିବାରୁ କର୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ବେଡର ବ୍ୟବସ୍ଥା କରିଛନ୍ତି । ବେଡ ସଂଖ୍ୟା ବଢାଇବାକୁ ହସ୍ପିଟାଲ ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ହସ୍ପିଟାଲ କର୍ତୃପକ୍ଷ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିଛନ୍ତି ।

ଏଠାରେ ତଳେ ଶୋଇଥିବାର ଦୃଶ୍ୟ ଆପଣ ଦେଖିଥିବେ । ଏବେ ଏଠାରେ ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ୧୦୦ଟି ରୋଗୀ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ବେଡ ଗୁଡିକୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ, ପୁରୁଷ ଓ ମହିଳା ୱାର୍ଡ ବାରଣ୍ଡାରେ ପକାଯାଇଛି ।

କ୍ୟାପିଟାଲ ହସ୍ପିଟାଲ ଉପରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରୁ ଦୈନିକ ବହୁ ସଂଖ୍ୟାରେ ଲୋକ ଚିକତ୍ସା ପାଇଁ ଆସିଥାଆନ୍ତି । ଆଉ ବେଡ୍ ନପାଇ ରୋଗୀ ତଳେ ଚିକିତ୍ସିତ ହେଉଥାନ୍ତି । ହସ୍ପିଟାଲରେ ଏପରି ସମସ୍ୟା ଦେଖି କର୍ତୃପକ୍ଷ ବେଡ୍ ସଂଖ୍ୟା ୭୬୦ରୁ ୨ ହଜାରେ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି । ସମସ୍ୟା ର ସ୍ଥାୟୀ ସମାଧାନ ପୂର୍ବରୁ ୧୦୦ଟି ବେଡ୍ ପକାଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତୃପକ୍ଷ ।

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ପାଇଁ ଅନେକ କାମ କରୁଛନ୍ତି । ବିଭିନ୍ନ ହସ୍ପିଟାଲକୁ ରୂପାନ୍ତରିତ କରି ଓଡିଶାକୁ ସ୍ୱାସ୍ଥ୍ୟସେବାର ହବ୍ କରିବାକୁ ପ୍ରୟାସ କରୁଛନ୍ତି । ଏପରି ସ୍ଥିତିିରେ କେବେ ଦୂର ହେବ ହସ୍ପିଟାଲ ବେଡ୍ ସମସ୍ୟା?