ନୂଆବର୍ଷରୁ ଏସବିଆଇର ନୂଆ ନିୟମ । ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଥିଲେ ଜାଣି ରଖନ୍ତୁ ଏହି ନିୟମ ।

9,879

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଯଦି ଆପଣ ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଜାଣିରଖନ୍ତୁ ଏହି ଖବର । କାରଣ ୧ ଜାନୁଆରୀରୁ ଏଟିଏମରୁ ଟଙ୍କା ଉଠାଣ ନେଇ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

୨୦୨୦ ଜାନୁଆରୀ ୧ରୁ ଏସବିଆଇ ଆକାଉଣ୍ଟଧାରୀ ଓଟିପି ଜରିଆରେ ଟଙ୍କା ଉଠାଇବାର ସୁବିଧା ପାଇବେ । ଏସବିଆଇ ଓଟିପି ସାହାଯ୍ୟରେ ଟଙ୍କା ଉଠାଣ ସୁବିଧା ଲଞ୍ଚ କରିଛି । ଏହାଦ୍ୱାରା ଆପଣ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବା ପାଇଁ କାର୍ଡ ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ପ୍ରଥମେ ଓଟିପି ଆସିବ ।

ନୂଆ ସୁବିଧା ଅନୁଯାୟୀ, ଆକାଉଣ୍ଟଧାରୀ ଏସବିଆଇ ଏଟିଏମରୁ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା କନଫର୍ମ କରିବା ପରେ ଏଟିଏମ ସ୍କ୍ରିନରେ ଓଟିପି ଦେବାକୁ ବିକଳ୍ପ ଆସିବ । ପୂର୍ବରୁ ମୋବାଇଲକୁ ଆସିଥିବା ଓଟିପି ଏଣ୍ଟର କରିବା ପରେ ହିଁ ଟଙ୍କା ଉଠାଇପାରିବେ । ତେବେ ଏସବିଆଇ ଏଟିଏମ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଏହି ଓଟିପିର ଆବଶ୍ୟକତା ପଡିବ ନାହିଁ । ତେବେ ଏହି ସୁବିଧା ରାତି ୮ଟାରୁ ଦିନ ୮ଟା ପର୍ଯ୍ୟନ୍ତ ଲାଗୁ ହେବ । ଯେଉଁ ଗ୍ରାହକ ମାନେ ୧୦ ହଜାର ଟଙ୍କାରୁ ଅଧିକ ଉଠାଣ କରିବାକୁ ଚାହୁଁଥିବେ କେବଳ ସେମାନଙ୍କୁ ହିଁ ଓଟିପି ଦେବାକୁ ପଡିବ ।

ଏହି ନୂଆ ସୁବିଧା ଦ୍ୱାରା ଏଟିଏମ ଠକେଇ କମ ହେବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । କାରଣ ଏହାପୂର୍ବରୁ ନକଲି ଏଟିଏମ କାର୍ଡ କିମ୍ବା କ୍ଲୋନ କାର୍ଡ ଦ୍ୱାରା ଅନ୍ୟ ଆକାଉଣ୍ଟରୁ ମଧ୍ୟ ଟଙ୍କା ଉଠାଯାଇପାରୁଥିଲା । କିନ୍ତୁ ଏହି ଓଟିପି ବ୍ୟବସ୍ଥା ଦ୍ୱାରା ଏଭଳି ଠକେଇକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ନିଜ ଆକାଉଣ୍ଟ ସହ ମୋବାଇଲ ନମ୍ବର ଅପଡେଟ କରିବା ଆବଶ୍ୟକ ।