ଖୋଲୁଛି ଅଭିନେତ୍ରୀଙ୍କ ସୈତାନୀ ସାମ୍ରାଜ୍ୟର ଗୁମର । କେବଳ ରବିକୁମାର ଫଶିନଥିଲେ ମାୟାଜାଲରେ, ୨୦ରୁ ଅଧିକ ଯୁବକ ହୋଇଛନ୍ତି ଶିକାର । ପୁରୁଷ ବନ୍ଧୁଙ୍କୁ ସାଥୀ କରି ଠକିଛନ୍ତି ଲକ୍ଷାଧିକ ଟଙ୍କା । 

11,422

କନକ ବ୍ୟୁରୋ :  ସୁନ୍ଦର ଚେହେରା ପଛର କଳଙ୍କିତ କାହାଣୀ । ସୈତାନ ସାଜି ସୁନ୍ଦରୀ ଆଦାୟ କରୁଥିଲା ଅର୍ଥ । ଜଣେ କି ଦୁଇ ଜଣ ନୁହେଁ ବରଂ ପାଖାପାଖି ୨୦ ଜଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି ଏହି ଓଲିଉଡ ଅଭିନେତ୍ରୀ  । ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ପୁରୁଷ ବନ୍ଧୁ ଦେବରାଜ । ଦୀର୍ଘ ଦିନ ଧରି ଉଭୟ ଏହିଭଳି ଠକେଇ କରି ଆସୁଥିବା ନେଇ ସୂଚନା ଦେଇଛନ୍ତି ଦେବରାଜଙ୍କ ସହ ପୂର୍ବରୁ ସମ୍ପର୍କରେ ଥିବା ଜଣେ ନିକଟତମ ବାନ୍ଧବୀ । ଫେସବୁକରେ ପ୍ରେମର ଫାଶରେ ଫଶାଇ ସାରିବା ପରେ ଏହି ଅଭିନେତ୍ରୀ ଯୁବକ ମାନଙ୍କୁ ନିଜର ଶିକାର ବନାଉଥିଲା ବୋଲି ଅଭିଯୋଗ ହୋଇଛି ।

ଏହାପୂର୍ବରୁ ଏହି ଅଭିନେତ୍ରୀଙ୍କର ଅସଲ ମୁଖା ଖୋଲିଥିଲେ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର । ରବି କୁମାରଙ୍କ କହିବା ଅନୁସାରେ ମାଟ୍ରିମୋନି ସାଇଟରୁ ଅଭିନେତ୍ରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଅଭିନେତ୍ରୀ ଜଣକ ନିଜ ଆଡୁ ରବି କୁମାରଙ୍କ ସହ ସଂପର୍କ ଯୋଡି ଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଆଉ ଏହି ସଂପର୍କର ଫାଇଦା ଉଠାଇ ଅଭିନେତ୍ରୀ  ରବି କୁମାରଙ୍କ ଠାରୁ ପର୍ଯ୍ୟାୟକ୍ରମେ ଲକ୍ଷାଧିକ ଟଙ୍କା, ସୁନା ଚେନ୍ ଓ ଲାପଟପ୍ ନେଇଯାଇଥିବା ଅଭିଯୋଗ କରିଥିଲେ ।

ସବୁକିଛି ଠିକଠାକ ଚାଲିଥିଲା । ହେଲେ ଯେତେବେଳେ ବିବାହ ପାଇଁ ରବି କୁମାର କହିଲେ, ତା ପରେ ବିଭିନ୍ନ ବାହାନା ଦେଖାଇ ବିବାହ ପ୍ରସ୍ତାବକୁ ଏଡାଇ ଯାଇଥିଲେ ଅଭିନେତ୍ରୀ ।  ଏହାପରେ ଅଭିନେତ୍ରୀଙ୍କ ବାବଦରେ ଖୋଳତାଡ କରିଥିଲେ ରବି କୁମାରଙ୍କ ପରିବାର । ଆଉ ଜାଣିବାକୁ ପାଇଥିଲେ ଯେ, ଅଭିନେତ୍ରୀ ଜଣଙ୍କ ତାଙ୍କୁ ଧୋକା ଦେଇଛନ୍ତି ।

ଅଭିନେତ୍ରୀ ଜଣକ ବିବାହ ପ୍ରସ୍ତାବକୁ ଖଣ୍ଡନ କରିବା ପରେ ଉପହାର ସ୍ୱରୁପ ତାଙ୍କୁ ଦେଇଥିବା ଟଙ୍କା, ସୁନା ଚେନ ଓ ଲାପଟପ୍ ମାଗିଛନ୍ତି ରବି କୁମାର । ହେଲେ ଏସବୁ ଫେରାଇବା ବଦଳରେ ଅଭିନେତ୍ରୀ ତାଙ୍କୁ ପ୍ରତାରଣା କରିଥିବା ଓଡିଶା ପୁଲିସକୁ ଜଣାଇଥିଲେ ବିଶାଖାପାଟଣାର ଯୁବକ ରବି କୁମାର । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଭିନେତ୍ରୀ । ଏନେଇ ସୋସିଆଲ ମିଡିଆରେ ରବିକୁମାର ଭିଡିଓ ଜାରି କରିବା ପରେ ଘଟଣାକୁ ରଫାଦଫା କରିବାକୁ ତାଙ୍କ ଉପରେ ଚାପ ପଡିଥିଲା । ଏପରିକି ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ରବିକୁମାରଙ୍କୁ ଫୋନ୍ କରିବା ସହ କମ୍ପ୍ରମାଇଜର କଥା କହିବା ସହ ଭୁବନେଶ୍ୱର ଆସି ସମସ୍ତ ଜିନିଷ ନେଇଯିବାକୁ କହିଥିଲେ । ତେବେ ଏହି ଘଟଣାର ଗୋଟିଏ ଦିନ ନ ବିତୁଣୁ ଅଭିନେତ୍ରୀଙ୍କ ଠକେଇ ସାମ୍ରାଜ୍ୟର ଆଉ ଏକ ନୂଆ ଫର୍ଦ୍ଦ ସାମ୍ନାକୁ ଆସିଛି ।