ରାଜ୍ୟର ନାଁ କରା ଲ୍ୟାବ ‘ଏସଆରଏଲ୍’ ଦେଲା ଭୁଲ୍ ରିପୋର୍ଟ, ଗୋଟିଏ ଦିନରେ ବଦଳିଗଲା ହିମୋଗ୍ଲୋବିନ୍ ଓ ଥାଇରଏଡ୍ ରିପୋର୍ଟ ! ଏମ୍ସରେ ଧରାପଡ଼ିଲା ତ୍ରୁଟି

652

କନକ ବ୍ୟୁରୋ :ଆପଣ କୌଣସି ମେଡିକାଲ ପରୀକ୍ଷା ପାଇଁ ବଡ ବଡ ନାଁ କରା ଡାଏଗ୍ନୋଷ୍ଟିକ୍ ଲ୍ୟାବକୁ ଯାଉଛନ୍ତି କି । ଯଦି ଯାଉଛନ୍ତି ଆଉ ରିପୋର୍ଟକୁ ନେଇ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଛନ୍ତି ତେବେ ସଜାଗ ହୋଇଯାଅନ୍ତୁ । କାରଣ ଏମାନେ ଟେଷ୍ଟିଂ ପାଇଁ ହଜାର ହଜାର ଟଙ୍କା ନେଉଛନ୍ତି ସତ, କିନ୍ତୁ ଯେଉଁ ରିପୋର୍ଟ ଦେଉଛନ୍ତି ତାହା କେତେଦୂର ଠିକ୍, ତାହାର ବିଶ୍ୱସନୀୟତା ଉପରେ ଉଠିଲାଣି ପ୍ରଶ୍ନଚିହ୍ନ । ରାଜଧାନୀର ନାଁ କରା ଡାଏଗ୍ନୋଷ୍ଟିକ୍ ଲ୍ୟାବ ଏସଆରଏଲ୍ ନାଁରେ ଆସିଛି ଏମିତି ଏକ ଅଭିଯୋଗ ।

ହେଲେ ଭାଙ୍ଗୁନି ରାଜଧାନୀର ନାଁ କରା ଏସଆରଏଲ୍ ଡୋଏଗ୍ନୋଷ୍ଟିକ୍ ଲ୍ୟାବର ଆଂଟ । ଏସଆରଏଲ୍ ର ରିପୋର୍ଟ ଗୋଟେ ତ ଏମ୍ସର ରିପୋର୍ଟ ଆସୁଛି ଆଉ ଗୋଟିଏ । ହିମୋଗ୍ଲୋବିନ୍ ଓ ଥାଇରଏଡ୍ କୁ ନେଇ ୭ ବର୍ଷର ଝିଅ ଜିଜ୍ଞାସା ଜେନାକୁ ଭୁଲ୍ ରିପୋର୍ଟ ଦେବା ଘଟଣା ସାମ୍ନାକୁ ଆସିବା ପରେ ବି ମୁହଁ ଟାଣ ଦେଖାଉଛନ୍ତି ଲ୍ୟାବର ଅଧିକାରୀ ।

ସେପ୍ଟେମ୍ୱର ୨୯ ତାରିଖ । ଏସଆରଏଲ୍ ୭ ବର୍ଷର ଜିଜ୍ଞାସାକୁ ଦେଇଥିଲା ଟେଷ୍ଟ ରିପୋର୍ଟ । ହିମୋଗ୍ଲୋବିନ୍ ୫.୦ ଓ ଥାଇରଏଡ୍ ୭ ଦଶମିକ ଚାରି ଦୁଇ ଶୂନ । ଏପରି ଦେଖି ହାଇଡୋଜର ମେଡିସିନ୍ ବି କିଣି ସାରିଥିଲେ ତାରା ବାପା । ତେବେ ମନରେ ସନ୍ଦେହ ଆସିବାରୁ ୩୦ ସେପ୍ଟେମ୍ୱରରେ ପରୀକ୍ଷା କରାଇଥିଲେ ଭୁବନେଶ୍ୱର ଏମ୍ସରେ । ହିମୋଗ୍ଲୋବିନ୍ ୧୦.୩ ଓ ଥାଇରଏଡ୍ ୨ ଦଶମିକ ତିନି ଛଅ ତିନି ଆସିଥିଲା ଏମ୍ସର ରିପୋର୍ଟରେ । ଯାହାକି ଡାକ୍ତରୀ ଭାଷାରେ ଏକ ସୁସ୍ଥ ଲୋକ ପାଇଁ ଅତି ନଗନ୍ୟ ।

ଏସଆରଏଲ୍ ଡୋଏଗ୍ନୋଷ୍ଟିକ୍ ଲ୍ୟାବର ମୁଖ୍ୟ ହେଉଛନ୍ତି ମାଡାମ୍ । ପେସାରେ ଜଣେ ପାଥୋଲଜି ଡାକ୍ତର । ତାଙ୍କରି ଦସ୍ତଖତରେ ରିପୋର୍ଟ ଦିଆଯାଇଥାଏ ରୋଗୀଙ୍କୁ । ହେଲେ ଏପରି ସାଂଘାତିକ ତ୍ରୁଟି ନେଇ ଆମେ ଯେତେବେଳେ ପ୍ରଶ୍ନ କରିଥିଲୁ ହସି ହସି ଘଟଣାକୁ ଏଡାଇଯାଇ ଥିଲେ , ଯେମିତି କିଛି ବି ହୋଇନି । ରାଜଧାନୀର ଏସଆରଏଲ ଡାଏଗ୍ନୋଷ୍ଟିକ୍ ଲ୍ୟାବ ଏପରି ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେବାକୁ ୮ ଦିନ ହେଲାଣି । ଏହା ପରେ ବି ଭୁଲ୍ ପାଇଁ ଅନୁତପ୍ତ ନୁହଁନ୍ତି ଲ୍ୟାବ କର୍ତୃପକ୍ଷ । ପ୍ରଶ୍ନ ଉଠୁଛି ଏସଆରଏଲ୍ ଲ୍ୟାବର ଭୁଲ୍ ରିପୋର୍ଟ ଆଧାରରେ ଯଦି ଅଭିଭାବକ ୭ ବର୍ଷର ଜିଜ୍ଞାସାକୁ ଔଷଧ ଖୁଆଇଥାନ୍ତେ, କିଛି ଅଘଟଣ ଘଟିଥିଲେ ଦାୟୀ ହୋଇଥାନ୍ତା କିଏ । ରାଜ୍ୟର ନାଁ କରା ଲ୍ୟାବରୁ ରୋଗୀଙ୍କୁ ଏପରି ଭୁଲ୍ ରିପୋର୍ଟ ମିଳିବ ତେବେ ରୋଗୀ ବିଶ୍ୱାସ କରିବେ କାହାକୁ ।