ରାଜ୍ୟରେ ବର୍ଷା ନେଇ ଏସଆରସିଙ୍କ ସୂଚନା : ଏବେ ହୀରାକୁଦ ଗେଟ୍ ଖୋଲିଲେ କୌଣସି ଅସୁବିଧା ନାହିଁ

489

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନ ବା ଏସଆରସି ସୂଚନା ଜାରି କରିଛନ୍ତି । ଏସଆରସିଙ୍କ ସୂଚନା ମୁତାବକ ଆସନ୍ତ ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଲଘୁଚାପ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶରେ ଦିନେ କି ଦୁଇଦିନ ବର୍ଷା ହେବ । ଏହାପରେ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ଆଗୁଆ ସଜାଗ ରହିବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା କଥା କହିଛନ୍ତି ଏସଆରସି । ଏହାସହ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ସଜାଗ ଥିବା କଥା ସୂଚନା ଦେଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି । ବର୍ଷା ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ସହ ଏସଆରସି କଥା ହୋଇଥିବା କଥା କହିଛନ୍ତି । ଏସଆରସି କହିଛନ୍ତି କି ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଛି । ବର୍ଷା ପାଇଁ କୌଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ୭-୮ ଜିଲ୍ଲା ବାଦ ସବୁ ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇଥିବା କଥା ଏସଆରସି କହିଛନ୍ତି । ଏହାସହ ୩-୪ ଦିନ ବର୍ଷା ହେଲେ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଏହାସହ ଏସଆରସି କହିଛନ୍ତି କି, ଏବେ ହୀରାକୁଦ ଗେଟ୍ ଖୋଲିଲେ କୌଣସି ଅସୁବିଧା ନାହିଁ ।