ପୋଲିସ ବିକୁଥିଲା ଧଳାଜହର । ରାଜଧାନୀରେ ବ୍ରାଉନସୁଗାର ବିକୁଥିଲେ କନେଷ୍ଟବଳ, ଉଠାଇନେଲା ସ୍ପେଶାଲ ସ୍କ୍ୱାର୍ଡ ।

420

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ବୁଧବାର ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଜଣେ କନଷ୍ଟେବଳ ଜେ. ଭରିମଲ୍ଲ ଧରାପଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ପେଶାଲ ସ୍କାର୍ଡ ଅତର୍କିତ ଭାବେ ଚଢ଼ାଉ କରି କନଷ୍ଟେବଳକୁ ଧରିଥିଲା। ସ୍ପେଶାଲ ସ୍କ୍ଵାର୍ଡ ସଂପୃକ୍ତ କନଷ୍ଟେବଳଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରି ପଚରାଉଚରା କରୁଛି।

ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ କୋଳଥିଆ ଛକରୁ ଭୁବନେଶ୍ୱର ଅବକାରୀ ଯୁନିଟ୍ ବ୍ରାଉନସୁଗାର କାରବାର ସହ ସଂପୃକ୍ତ ଜଣେ ଅଟୋ ଚାଳକକୁ ଗିରଫ କରିଥିଲା। ଅବକାରୀ ବିଭାଗ ଖୋର୍ଧା ବେଗୁନିଆ ଥାନା ଓଗାଳପୁର ଗାଁର ସୁମନ୍ତ କୁମାର ରାଉତରାୟର ଅଟୋରୁ ୩୦ ଗ୍ରାମ୍ ବ୍ରାଉନ୍ ସୁଗାର(ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା) ଜବତ କରିଥିଲା।
ବଡ଼ କଥା ହେଉଛି ଖୋର୍ଧା ନିରାକାରପୁର ନିକଟସ୍ଥ ନଈକୂଳିଆ ଅଞ୍ଚଳର ଏକ ନୂଆ ବ୍ରାଉନସୁଗାର ଡିପୋ ବାବଦରେ ତା’ଠାରୁ ସୁରାକ୍ ମିଳିଥିଲା। ସୁମନ୍ତ ସେଠାରୁ ମାଲ୍ ଆଣି ବରମୁଣ୍ଡା ଅଞ୍ଚଳରେ ବିକ୍ରି କରୁଥିଲା। ଅଧିକାଂଶ ବୈଷୟିକ କଲେଜ ଛାତ୍ର ତା’ର ଗ୍ରାହକ ବୋଲି ସେ ସ୍ୱୀକାର କରିଥିଲା।