ଭୂତାଣୁ ଭାଙ୍ଗିପାରିବନି ଭାରତୀୟଙ୍କ ଆତ୍ମବଳ । ଅଦୃଶ୍ୟ ଶତ୍ରୁର ଆଖିରେ ଆଖି ମିଶାଇ ଇଂରେଜ ଭଳି ଦେବା ଜବାବ୍, ସ୍ୱାଧିନତା ଦିବସରେ ଶପଥ ନେବା ସଚେତନ ହୋଇ ସଂକ୍ରମଣ ରୋକିବା ।

104

କନକ ବ୍ୟୁରୋ: ମୋ ଦେଶ ହସୁଛି, ଛାତି ଫୁଲାଇ ହସୁଛି । ଗୌରବର ଗାଥା ଆଜି କଶ୍ମୀରଠୁ କନ୍ୟାକୁମାରୀ କାନକୁ କାନ ଶୁଭୁଛି । ଫର ଫର ହୋଇ ଗଗନ ପବନରେ ଗୁଣୁଗୁଣାଇ ମୋ ମାଟି ମାର ତ୍ରିରଙ୍ଗା ଉଡୁଛି । ସ୍ୱାଧୀନ ଆକାଶରେ ଖେଳିଗଲା ଗୌରବର ଗୀତ । ଆଉ ଜାତୀୟ ସଙ୍ଗୀତରେ ବିଭୋର ହେଲା ସାରା ଦେଶ । ଗୀତ ଗାଇବା ବେଳେ ଦେହ ଶୀତେଇ ଉଠିଲା, ଛାତି ଫୁଲି ଉଠିଲା, ମାଟି ମାଆର ଛାତି ଉପରେ ଫର ଫର ଉଡୁଥିବା ବିଜୟର ଧ୍ୱଜାକୁ ସାଲ୍ୟୁଟ୍ ମାରିଲା ବେଳେ ପାଟିରୁ ଆପଣାଛାଏଁ ବାହାରି ଆସିଲା ଭାରତ ମାତା କି ଜୟ ଭାରତ୍ ମାତା କି ଜୟ…

ଆଜି ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ସବୁଠି ଦେଶପ୍ରେମର ରଙ୍ଗ, ଦେଶଭକ୍ତିର ଜୟଜୟକାର । ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରୀତି ନେଇ ସ୍ୱାଧୀନତା ଦିବସ ପାଳୁଛି ସାରା ଭାରତ । ହେଲେ ପବିତ୍ରତାର ଏଇ ଉତ୍ସବ ଭିତରେ ଫିକା ଫିକା ଲାଗୁଛି ସ୍ୱାଧିନତାର ଏ ପର୍ବ, ଉଦାସିନତାରେ ଭରିଛି ସବୁକିଛି । ତ୍ରିରଙ୍ଗା ସିନା ଉଡୁଛି କିନ୍ତୁ ମନରେ କେଉଁଠି ଅଭାବ ରହୁଛି । ଗୌରବର ଗାରିମାକୁ ମନଖୋଲି ଗାଇବାକୁ ସ୍ୱାଧୀନତା ମିଳିଥିଲେ ହେଁ ଗୀତ ଆଜି ଘର ଭିତରେ ଆବଦ୍ଧ ରହିଛି । କାରଣ ଏଥର ବି କଟକଣା ପାଇଁ ଏକାଠି ହେବାକୁ ମନା, ସାଙ୍ଗ ହୋଇ ସମସ୍ତେ ସ୍ୱାଧୀନତା ଦିବସ ପାଳନ କରିବା ମନା । ସଂକ୍ରମଣ ପାଇଁ ଆଜି କଟକଣା ଭିତରେ ଉଡିବ ତ୍ରିରଙ୍ଗା ।

ହୁଏତ ଆଜି କରୋନା ନଥିଲେ ଓଡିଶାରୁ ଆନ୍ଧ୍ର, ଆସାମରୁ ଉତ୍ତର ପ୍ରଦେଶ, କାଶ୍ମୀରୁ କନ୍ୟାକୁମାରୀ ସବୁଠି ଭାରତ ମାତାର ଜୟଗାନ କରି ଲୋକ ପତାକା ଧରି ଘରୁ ବାହାରି ଯାଇଥାନ୍ତେ ଆଉ ମୁକ୍ତ ବିହଙ୍ଗ ପରି ଖୁସିରେ ଗୀତ ଗାଇଥାନ୍ତେ । ସକାଳେ ସକାଳେ ଉଠି ଗାଧୁଆ ପାଧୁଆ ସାରି ଫୁଲ, ପତାକା ଧରି ପିଲା ସ୍କୁଲ ଯାଉଥାଆନ୍ତେ । ଆଉ ଜାତୀୟ ସଙ୍ଗୀତ, ସ୍ଲୋଗାନରେ ଫାଟି ପଡିଥାନ୍ତା ଚତୁର୍ଦ୍ଦିଗ । ହେଲେ ସଂକ୍ରମଣ ପାଇଁ କଟକଣା ଲାଗିଥିବାରୁ ସ୍କୁଲରୁ ସରକାରୀ ଅଫିସ, କଲେଜରୁ କଲେକ୍ଟର ଅଫିସ ସବୁଠି ସାମାଜିକ ଦୂରତା ସହ ନିୟମ ମାନି ଉଡୁଛି ତ୍ରିରଙ୍ଗା ।

ତେବେ ଗୋରା ସାହେବଙ୍କ ସହ ଲଢେଇ କରି ଯେମିତି ଭାରତ ସ୍ୱାଧୀନ ହୋଇଥିଲା । ଇଂରେଜ ଶାସନରୁ ମୁକ୍ତି ପାଇବା ପାଇଁ ୧୯୪୭ ମସିହାରେ ଯେମିତି ଭାରତୀୟମାନେ ତଡି ତଡି ସେମାନଙ୍କୁ ଗୋଡାଇଥିଲେ । ଠିକ୍ ସେମିତି ଦେଶ ବାହାରୁ ଆସିଥିବା ଏ ମହାମାରୀ କବଳରୁ ବି ମୁକ୍ତ ହେବ ଦେଶ । ଇଂରେଜଙ୍କ ପରି ଭୁତାଣୁକୁ ତଡିତଡି ଭଗେଇବେ ଭାରତୀୟ ଆଉ ଜିତିବେ କରୋନା ଯୁଦ୍ଧ । ଚାଲନ୍ତୁ ସ୍ୱାଧୀନତାର ଏ ପବିତ୍ର ଦିବସରେ ସମସ୍ତେ ଶପଥ ନେବା, ନିୟମ ମାନିବା, ମନରୁ ସନ୍ଦେହ ଦୂର କରି ଭ୍ୟାକ୍ସିନ୍ ନେବା ଆଉ କରୋନାକୁ ହରାଇ ଆଗାମୀ ସ୍ୱାଧୀନତା ଦିବସରେ ପୁଣି ସମସ୍ତେ ତ୍ରିରଙ୍ଗା ପତାକା ତଳେ ଛିଡା ହୋଇ ଗାଇବା ଜାତୀୟ ସଙ୍ଗୀତ…