ବିଧାୟକ ହେବ ତ ଏମିତି ! ଲୋକଙ୍କ ପାଇଁ ଜଗନ୍ନାଥ, ଓଡିଶାର ଉଦାହରଣ

82

ମାଟିର ପୁଅ ଭାବେ ସବୁବେଳେ ରହିଛନ୍ତି ଲୋକଙ୍କ ସହ । ବିଧାୟକ ବା ନେତା ହେବାର ଗର୍ବ ନାହିଁ । କେତେବେଳେ ଜମିରେ ନିଜେ ହଳ କରନ୍ତି ତ ପୁଣି କେତେବେଳେ ବନ୍ୟା ପ୍ରଭାବିତ ଅଂଚଳକୁ ଯାଇ ହାତରେ କୋଦାଳ ଧରି ସଫେଇ କାର୍ଯ୍ୟରେ ଲାଗିପଡନ୍ତି । ଆଦିବାସୀ ଅଂଚଳରୁ ଆସିଥିବା ଏହି ୪୨ ବର୍ଷୀୟ ବିଧାୟକଙ୍କ କାର୍ଯ୍ୟଶୈଳୀ ଏବେ ଭିଆଇପି କଲଚର ଭିତରେ ରହୁଥିବା ନେତାଙ୍କ ପାଇଁ ଉଦାହରଣ ସାଜିଛି ।

ବିଧାୟକ ଜଗନ୍ନାଥ ସାରକା । ରାୟଗଡା ଜିଲ୍ଲା ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଜିତି ଆସିଛନ୍ତି ବିଧାନସଭା । ୪୨ ବର୍ଷୀୟ ଏହି ନେତାଙ୍କୁ ଛୁଇଁନି ଭିଆଇପି କଲଚର । ବନ୍ୟା ପରେ ସଫେଇ କାମରେ ଲାଗିପଡିଛନ୍ତି ବିଧାୟକ । ପ୍ରଭାବିତ ଅଂଚଳକୁ ଯାଇ ସାଧାରଣ ଲୋକଙ୍କ ସହ ମିଶି ଆବର୍ଜନ ନିଷ୍କାସନ କରୁଛନ୍ତି । କଲ୍ୟାଣସିଂହପୁରରେ ବନ୍ୟା ଛାଡିଯିବା ପରେ ନିଜେ ଲୋକଙ୍କ ସହ ମିଶି ସଫେଇ କରୁଛନ୍ତି ବିଧାୟକ । ଦେଖନ୍ତୁ ଏହି ଭିଡ଼ିଓ –

ବନ୍ୟା ପାଣି ଛାଡିଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଥିଲା । ଆଉ ସ୍ଥିତି ପରଖିବାକୁ ଯାଇଥିବା ବିଧାୟକ ହାତରେ କୋଦାଳ ଧରି ଲୋକଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଥିଲେ ବିଧାୟକ । ଏହି ଦୁର୍ଦ୍ଦିନ ସମୟରେ ଲୋକଙ୍କୁ ସେ ବଢାଇଛନ୍ତି ସହାୟତାର ହାତ । ଆବର୍ଜନା ନିଷ୍କାସନ କରୁଛନ୍ତି । ବଡ କଥା ହେଉଛି, ନିଜ ନିର୍ବାଚନ ମଣ୍ଡଳୀରେ ସେ ଜଣେ ବିଧାୟକ ଭାବେ ନୁହେଁ ବରଂ ସାଧାରଣ ଲୋକ ଭାବେ ମିଶି କାମ କରିଛନ୍ତି । ଯେଉଁଥି ପାଇଁ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଗନ୍ନାଥ ସାରକା ଆଇନରେ ଡିଗ୍ରୀ ହାସଲ କରିଛନ୍ତି ।

ବିଧାୟକଙ୍କର ଆଉ ଏକ ଭିନ୍ନ ଦିଗକୁ ନେଇ ଗତ କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେତେବେଳେ ସେ ଚାଷୀ ଭାବେ ଚାଷଜମିରେ କାମ କରିଥିଲେ । ରାଜନୈତିକ କାର୍ଯ୍ୟରୁ ସମୟ ମିଳିବା କ୍ଷଣି କିଛି ଏଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ପାଉଥିବା କହିଛନ୍ତି ବିଧାୟକ । ଜଗନ୍ନାଥ ସାରକାଙ୍କ ହିସାବରେ, ତାଙ୍କ ପରିବାର ଚାଷୀ ପରିବାର । ତେଣୁ ଅନ୍ୟ କୈଣସି କାର୍ଯ୍ୟରେ ନିୟୋଜିତ ହେବା ବଦଳରେ ଚାଷଜମିରେ କାମ କରି ସେ ଅଧିକ ଖୁସି ପାଆନ୍ତି । ନିଜ ବାପା ଓ ଜେଜେବାପାଙ୍କ ଠାରୁ ଚାଷର କଳ ଶିଖିଥିବା ଅତି ଗର୍ବର ସହ ସେ କୁହନ୍ତି । ଆଜିର ଦିନରେ ଏଭଳି ଚିନ୍ତାଧାରା ରଖୁଥିବା ନେତା ଖୁବକମ୍ ଦେଖିବାକୁ ମିଳନ୍ତି । ସ୍ୱାର୍ଥସର୍ବସ୍ୱ ଦୁନିଆରେ ନେତା ଯେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ଅଂଟା ଭିଡି ସାମ୍ନାକୁ ଆସନ୍ତି, ସେଭଳି ଉଦାହରଣ ଢେର କମ୍ । ଦେଖନ୍ତୁ ଏହି ଭିଡ଼ିଓ –

ଝିଗିଡି ପଂଚାୟତର ସମିତି ସଭ୍ୟ ଭାବେ ଜଗନ୍ନାଥ ସାରକା ୧୯୯୭ରେ ନିର୍ବାଚିତ ହୋଇଥିଲେ । ୨୦୦୨ରେ ସେ ସରପଂଚ ହେଲେ ଓ ୨୦୦୭ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ମାତ୍ର ୩୪୯ ଭୋଟରେ ସେ ନିର୍ବାଚନରେ ହାରିଯାଇଥିବା ବେଳେ ୨୦୧୪ରେ କିନ୍ତୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାଜନୀତିର ଲମ୍ବା କ୍ୟାରିୟର ଭିତରେ କେବେବି ଜନତା ଆଉ ନେତାଙ୍କ ଭିତରେ ପାଚେରୀ ଠିଆ କରିବାକୁ ଉଦ୍ୟମ କରିନାହାନ୍ତି ଏହି ବିଧାୟକ ଜଣକ ।

କିଛିଦିନ ଆଗରୁ ପଛୁଆ ଅଂଚଳର ଆଉ ଜଣେ ବିଧାୟକ ନିଜ ଥାଟ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ । ମାଲକାନଗିରି ବିଧାୟକ ମାନସ ମାଡକାମୀ । କାଳେ ବିଧାୟକଙ୍କ ବହୁ ମୂଲ୍ୟ ବସ୍ତ୍ର ପାଣିରେ ବୁଡିଯିବ, ସେଥିପାଇଁ କର୍ମୀଙ୍କ କାନ୍ଧର ସାହାରା ନେଇଥିଲେ ମାଡକାମୀ । ସାବେରୀ ନଦୀ ପାରହେବା ଲାଗି କର୍ମୀଙ୍କ କାନ୍ଧରେ ବୁହାହୋଇଥିଲେ ବିଧାୟକ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ବିଧାୟକ ମାନସ ମାଡକାମୀ ଟିମ ପଂଚାୟତ ଚଲୋ ଅଭିଯାନରେ ଯୋଗଦେବା ଲାଗି ରାଜ୍ୟର ଶେଷ ସୀମା କୁହାଯାଉଥିବା ମୋଟୁ ପଂଚାୟତକୁ ଯାଇଥିଲେ । ତେବେ ବିଧାୟକଙ୍କ ଯୋତା ନଷ୍ଟ ହେବା ଓ ଧଳା କପଡାରେ ଦାଗ ଲାଗିଯିବା ଭୟରେ କର୍ମୀଙ୍କ କାନ୍ଧରେ ବୁହାହୋଇ ମୋଟର ଲଂଚରେ ଚଢିଥିଲେ ବିଧାୟକ । ମୋଟର ଲଂଚରୁ ଓହ୍ଲାଇବା ସମୟର ଚିତ୍ର ଥିଲା ଆହୁରି ଆଶ୍ଚର୍ଯ୍ୟଜନକ । ଜଣେ କର୍ମୀଙ୍କ ପିଠିରେ ବୁହାହୋଇଥିଲେ ବିଜେଡିର ଏହି ଆଦିବାସୀ ବିଧାୟକ । ବିଧାୟକଙ୍କ ଏଭଳି ମାନସିକତା ସମସ୍ତଙ୍କୁ ଚକିତ ବି କରିଥିଲା । ଦେଖନ୍ତୁ ଏହି ଭିଡ଼ିଓ –

ଶାସକ ଦଳର ପଛୁଆ ଅଂଚଳର ଦୁଇ ବିଧାୟକ ଏବେ ଚର୍ଚ୍ଚାରେ । ଜଣେ ଲୋକଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କଲେ, ଆଉ ଜଣେ କର୍ମୀଙ୍କ କାନ୍ଧରେ ବୁହାହୋଇ ଗଲେ । ଓଡିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକେ ଆଶା କରିବେ, ତାଙ୍କ ଅଂଚଳର ବିଧାୟକ ଜଗନ୍ନାଥ ସାରକାଙ୍କ ଭଳି ଆଦର୍ଶ ବନନ୍ତୁ । ସେମାନଙ୍କ ଦୁଖରେ ଭାଗିଦାରୀ ହୁଅନ୍ତୁ । ଫଳରେ ଦିନକୁ ଦିନ ନେତା ଓ ଜନତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ବିବାଦର ଅବସାନ ଘଟିବ । ଜନତା ନେତାଙ୍କୁ ସନ୍ଦେହ କରିବେନି କିମ୍ବା ଭିଆଇପି କଲଚରକୁ ନେଇ ସବୁବେଳେ ବିବାଦ ହେବନି । ଆମେ ଆଶା କରିବୁ, ଜଗନ୍ନାଥ ସାରକାଙ୍କ ଏଭଳି ମଣିଷପଣିଆ ଅନ୍ୟ ନେତାମାନେ ଅନୁକରଣ କରିବେ ।