କଲରାପତରିଆ ବାଘ ଶିକାର ଘଟଣା : ବାଘପାଲି ମଠ ମହନ୍ତ ବାବା ଦୟାସାଗର ଥାଟୀଙ୍କ ସମେତ ୬ ଗିରଫ

204

କନକ ବ୍ୟୁରୋ : ସୋନପୁର ଉଲ୍ଲୁଣ୍ଡା ବନାଞ୍ଚଳରୁ କଲରାପତରିଆ ବାଘ ଶିକାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଘପାଲି ଜଙ୍ଗଲ ଭିତରେ ରହୁଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ, ସୁରେନ୍ଦ୍ର ପ୍ରଧାନ, ବିଜୁ ଗୁରୁ, ରାମଚନ୍ଦ୍ର ପୁରୋହିତ, ପୁରନ୍ଦର ଥାଟି ଏବଂ ସତ୍ୟ ନାରାୟଣ ମେହେର । ଶିକାରୀ ମାନଙ୍କ ନିକଟରୁ ବାଘର ୪ଟି ପଞ୍ଝା, ବାଘ ନଖ ଏବଂ ବାଘ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ଫେରାର ଅଛନ୍ତି ।

ସୂଚନା ଅନୁସାରେ ବିଦ୍ୟୁତ୍ ଫାଶ ପକାଇ ବନ୍ୟଜନ୍ତୁ ଶିକାର କରାଯାଉଥିବା ବେଳେ ବିଦ୍ୟୁତ୍ ଫାଶରେ ପଡ଼ି ୪ ବର୍ଷିୟ ବାଘର ମୃତ୍ୟୁ ହୋଇଥିଲା । ଏହା ପରେ ବାଘର ନଖ, ପଞ୍ଝା, ଦାନ୍ତ ନେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ଅଭିଯୁକ୍ତ । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବାଘଟିର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ବନବିଭାଗ ଟିମ୍ ପହଂଚି ଘଟଣାର ଅନୁଧ୍ୟାନ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ତେବେ ବାଘପାଲି ଜଙ୍ଗଲଭିତରେ ଥିବା ଧାର୍ମିକସ୍ଥଳୀ ମଠ ଭିତରେ ବାଘ ଶିକାରର ଯୋଜନା କରାଯାଇଥିବା ଜଣାପଡ଼ିଥିଲା । ଅଧିକ ତଦନ୍ତ ପରେ ମଠାଧୀଶ ଦୟାସାଗର ଥାଟୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା । ମଠ ଭିତରୁ ବାଘର ୪ଟି ପଞ୍ଝା ଜବତ କରାଯାଇଥିଲ । ଅନ୍ୟ ଅଭିଯୁକ୍ତ ମାନଙ୍କ ଠାରୁ ବାଘ ନଖ ଓ ଦାନ୍ତ ସମେତ ବିଦ୍ୟୁତ୍ ଫାଶ ପାଇଁ ବ୍ୟବହାର ହୋଇଥିବା ୫୦୦ ଗ୍ରାମର ଜିଆଇ ତାର, ଗୋଟିଏ କଟରା, ପ୍ଲାଷ୍ଟିକ୍ ବଣ୍ଡଲ ରଶି ଜବତ କରାଯାଇଛି ।