ଆସନ୍ତାକାଲି ସୂର୍ଯ୍ୟୋପରାଗ । ପଢନ୍ତୁ, କଣ କହୁଛି ଜ୍ୟୋତିଷ ଶାସ୍ତ୍ର? ଶ୍ରୀମନ୍ଦିରରେ କେମିତି ହେବ ରୀତିନୀତି?

1,148

କନକ ବ୍ୟୁରୋ: ଆସନ୍ତାକାଲି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ସେପଟେ ଗ୍ରହଣକୁ ନେଇ ଅନେକ ଧର୍ମୀୟ ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଜି ରାତିସାରା ଶ୍ରୀମନ୍ଦିରରେ ନୀତିକାନ୍ତି ହେବ ।

ତେବେ ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଅତିକ୍ରମ କରିଥାଏ । ସେହି ସମୟରେ କିଛି ସମୟ ପାଇଁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଏକ ସରଳରେଖାରେ ରହିଥାନ୍ତି । ପୃଥିବୀର ଗୋଟିଏ ପାଶ୍ୱର୍ରେ ଚନ୍ଦ୍ରର ଛାଇ ପଡିଥାଏ । ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ମଙ୍ଗଳବାର ଦିନ ଭାରତ ସମେତ ଅନ୍ୟ କିଛି ଦେଶରେ ଏହି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଭାରତରେ ଏହି ପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟପରାଗ ।

ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମରେ ବିଭିନ୍ନ କଟକଣା, ନୀତିକାନ୍ତି ଓ ଲୋକ ବିଶ୍ୱାସ ରହିଛି । ସୂର୍ଯ୍ୟପରାଗ ସମୟରେ କଣ କରିବେ, କଣ ନକରିବେ, ଏହାକୁ ନେଇ ଜ୍ୟୋତିଷମାନେ କଣ କୁହନ୍ତି, ନଜର ପକାନ୍ତୁ…

କ’ଣ କହେ ଜ୍ୟୋତିଷ ଶାସ୍ତ୍ର?

  • ମଙ୍ଗଳବାର ସୂର୍ଯ୍ୟ ଉଦୟ ପୂର୍ବରୁ ପାକ ନିଷେଧ
  • ବୁଧବାର ଶୌଧ ହେବା ପରେ ଖାଦ୍ୟ ଗ୍ରହଣ
  • ପରାଗ ସମୟରେ ସିଧାସଳଖ ସୂର୍ଯ୍ୟକୁ ଦେଖିବା ଅନୁଚିତ
  • ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦେଖିଲେ ଲାଭବାନ ହେବେ
  • କର୍କଟ, ବିଛା, ଧନୁ, ମୀନଙ୍କ ପାଇଁ ଏହା ଅଶୁଭ ଫଳ ଦେବ

ସେହିପରି ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ନୀତି

  • ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି
  • ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ନୀତି ପରେ ଅବକାଶ ଓ ରୋଷହୋମ କାର୍ଯ୍ୟ ହେବ
  • ରାତି ୨ଟା ସୁଦ୍ଧା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
  • ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ
  • ଭୋର ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
  • ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ
  • ସଂଧ୍ୟା ୬ ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ
  • ତେବେ ଦେବ ଦର୍ଶନ ବନ୍ଦ ରହିବ ନାହିଁ

ପରମ୍ପରା ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟ ଉପରେ କଟକଣା ଥିବା ବେଳେ ଏ ନେଇ ବିଜ୍ଞାନ ସମ୍ମତ କାରଣ ନଥିବା କୁହନ୍ତି ବୈଜ୍ଞାନିକ । ତେବେ ଖାଲି ଆଖିରେ ପରାଗ ନଦେଖିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏପରିକି ଆଂଶିକ ସୂର୍ଯ୍ୟପରାଗରେ ମଧ୍ୟ ଯେଉଁ ରଶ୍ମି ନିର୍ଗତ ହୁଏ, ତାହା ସିଧାସଳଖ ଆଖିରେ ପଡ଼ିଲେ ପ୍ରଭାବିତ ହେବା ଆଶଙ୍କା ରହିଛି ।