ଅର୍ଶଦୀପ ବୋଲିଂ କଲାବେଳେ ଦେଖନ୍ତି ନାହିଁ ମା’ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ।

1,478

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ସହ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅର୍ଶଦୀପଙ୍କ ଘାତକ ବୋଲିଂ ଟିମ୍ ଇଣ୍ଡିଆକୁ ଏହି ରୋମାଞ୍ଚକର ବିଜୟ ଭେଟି ଦେଇଥିଲା । ପ୍ରଥମ ବିଶ୍ୱକପ ମ୍ୟାଚରେ ହିଁ ନିଜର ଦମଦାର ବୋଲିଂ ବଳରେ ଦେଶବାସୀଙ୍କ ମନ ଜିଣିଛନ୍ତି ଅର୍ଶଦୀପ । ପାକିସ୍ତାନର ଇନିଂସରେ ଅର୍ଶଦୀପଙ୍କ ଓଭରର ପ୍ରତିଟି ବଲ ଦେଖିବାକୁ ଚାହିଁ ରହିଥିଲେ ଦେଶବାସୀ । ବିଶ୍ୱକପରେ ଅର୍ଶଦୀପ ପକାଇଥିବା ପ୍ରଥମ ଓଭରର ପ୍ରଥମ ବଲରେ ହିଁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଆଉଟ କରି ଟିମ୍ ଇଣ୍ଡିଆକୁ ଡ୍ରାଇଭର ସିଟରେ ରଖିଥିଲେ ଅର୍ଶଦୀପ । ପରବର୍ତ୍ତୀ ଓଭରରେ ପୁଣିଥରେ ପାକିସ୍ତାନର ଭରସାଯୋଗ୍ୟ ବୋଲର ରିଜୱାନଙ୍କୁ ଆଉଟ କରି ପାକିସ୍ତାନର ଟପ୍ ଅର୍ଡରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ ଅର୍ଶଦୀପ । ଯେତେବେଳେ ଅର୍ଶଦୀପଙ୍କ ଘାତକ ବୋଲିଂକୁ ପୂରା ଦେଶ ଦେଖୁଥିଲା ଓ ସେଲିବ୍ରେଟ କରୁଥିଲା ସେତେବେଳେ ତାଙ୍କ ମା କିନ୍ତୁ ପୁଅର ବୋଲିଂ ଦେଖୁନଥିଲେ । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ଚକିତ ହେବେ ।

ଅର୍ଶଦୀପଙ୍କ ପ୍ରଦର୍ଶନକୁ ନେଇ ତାଙ୍କ ବାପା ଓ ମା’ ବେଶ ଗର୍ବିତ । କିନ୍ତୁ ପୁଅର ବୋଲିଂ ଦେଖିନଥିଲେ ମା ବଲଜିତ କୌର । ଏକ ସାକ୍ଷାତକାରରେ ବଲଜିତ କହିଛନ୍ତି ଯେ, ଯେବେଠାରୁ ଅର୍ଶଦୀପ ଭାରତ ପାଇଁ ଖେଳିବା ଆରମ୍ଭ କରିଛନ୍ତି ସେବେଠାରୁ ସେ ପୁଅର ଲାଇଭ ବୋଲିଂ ଦେଖନ୍ତି ନାହିଁ । ମ୍ୟାଚ ସମୟରେ ସେ ଗୁରୁଦ୍ୱାର ଯାଆନ୍ତି ନଚେତ ଗୁରୁ ନାନକ ଦେବଙ୍କ ପୂଜା କରନ୍ତି । କାରଣ ଅର୍ଶଦୀପ ସବୁବେଳେ ଟିମର କଠିନ ସମୟରେ ବୋଲିଂ କରିଥାଏ । ମୁଁ ଖେଳ ବାବଦରେ କିଛି ଜାଣେ ନାହିଁ କିନ୍ତୁ ଅର୍ଶଦୀପଙ୍କ ବିପକ୍ଷରେ କେହି ଅଧିକ ସ୍କୋର କରନ୍ତୁ ତାହା ମୁଁ ଚାହେଁ ନାହିଁ ।

ତେବେ ଅର୍ଶଦୀପଙ୍କ ବାପା-ମା କହିଛନ୍ତି ସେତେବେଳେ କଷ୍ଟ ଅଧିକ ହୁଏ ଯେତେବେଳେ ଖରାପ ଖେଳିବା କାରଣରୁ ଅର୍ଶଦୀପଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଏ । ବାପା ଦର୍ଶନ ସିଂଙ୍କ କହିବା ଅନୁଯାୟୀ, ମୁଁ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରେ କିନ୍ତୁ ବଲଜିତ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଅର୍ଶଦୀପଙ୍କ ନାଁରେ ଖରାପ ପୋଷ୍ଟ ଦେଖିଲେ ବଲଜିତ କାନ୍ଦି ପକାନ୍ତି ।