ଆଜି ସୂର୍ଯ୍ୟୋପରାଗ । ମହାକାଶରେ ଦେଖାଯିବ ବିରଳ ଦୃଶ୍ୟ, ସୂର୍ଯ୍ୟଙ୍କୁ ଘୋଡାଇ ଦେବ ଚନ୍ଦ୍ର । ସକାଳ ୮ଟା ୨୦ରୁ ଆରମ୍ଭ ହୋଇ ୧୧ଟା ୨୮ରେ ହେବ ଶେଷ ।

1,118

କନକ ବ୍ୟୁରୋ : ଆଉ କିଛି ସମୟ ପରେ ସଂଘଟିତ ହେବ ବିରଳ ବଳୟ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ । ତେବେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ । ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ, ଯାହା କି ଅତ୍ୟନ୍ତ ବିରଳ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

ଡ. ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ‌ଏକ ସରଳରେଖାରେ ରହିଥାଏ ଏବଂ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ । ତେଣୁ ଲୋକେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ‌ଦେଖିବା ଉଚିତ ନୁହେଁ । ଏହି ଦୃଶ୍ୟକୁ ନିରାପଦ ଉପାୟରେ ଦେଖାଯାଇ ପାରିବ । ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନ୍ ହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ଏହା ଦେଖି ହେବ। ପ୍ଲାନେଟୋରିୟମ୍‌ରେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବାର ବ୍ୟବସ୍ଥା କରାଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ, ପ୍ଲାନେଟୋରିୟମ ଓ ବିଜ୍ଞାନପ୍ରେମୀ ସୌର ଚଷମା ଯୋଗାଇ ଦେବା ସହ ଏହା ଦେଖିବାର ବ୍ୟବସ୍ଥା କରୁଛନ୍ତି । ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ବିଜେବି କଲେଜ୍‌ ପଡ଼ିଆରେ ମଧ୍ୟ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀ ଓ ଅନ୍ୟମାନେ ଏହାର ସୁବିଧା ନେଇପାରିବେ । ଲୋକମତ ମୁତାବକ ସୂର୍ଯ୍ୟୋପରାଗ ଯୋଗୁଁ ଦେବନୀତିରେ ପରିବର୍ତ୍ତନ, ପାକ ନିଷେଧ, ଗର୍ଭବତୀ ମହିଳାଙ୍କ ଉପରେ କଟକଣା ରହିଥିଲେ ହେଁ ବୈଜ୍ଞାନିକ ମତରେ ଏହା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।