ଦେଶରେ ଜରୁରୀକାଳୀନ ପରିସ୍ଥିତ ସହ ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହିନ୍ଦ୍ରା ରାଜପକ୍ଷେ

108

କନକ ବ୍ୟୁରୋ : ଶେଷରେ ଦେଶର ସାଧାରଣ ଲୋକଙ୍କ ବିରୋଧକୁ ସମ୍ମାନ ଜଣାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ । ଦେଶ ଇତିହାସର ସବୁଠାରୁ ବଡ ଆଥିକ ସଂକଟ ପାଇଁ ଶ୍ରୀଲଙ୍କାରେ ଏବେ ଜରୁରୀକାଳୀନ ପରିସ୍ଥିତି ଦେଖା ଦେଇଛି । ଏହାକୁ ନେଇ ଦେଖାଦେଇଥିବା ରାଜନୈତିକ ସଂକଟ ଭିତରେ ମହିନ୍ଦ୍ରା ରାଜପକ୍ଷେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ପଠାଇ ଦେଇଛନ୍ତି ।

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି । ମହିନ୍ଦ୍ରା ରାଜପକ୍ଷେଙ୍କ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଚନ୍ନା ଜୟସୁମନା ବି ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । କୁହାଯାଉଛି କି ଦେଶରେ ଦେଖାଦେଇଥିବା ଦରବୃଦ୍ଧି ସାଂଗକୁ ଆର୍ଥିକ ସଂକଟ ନେଇ ଲୋକମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାସହ ଏହି ପ୍ରଦର୍ଶନ ବେଳେ ବିଭିନ୍ନ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ଇସ୍ତଫା ଦେବା ପରେ ରାଜପକ୍ଷେ ସାଧାରଣ ଜନତାକୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଏକଥା ମନେ ରଖିବା ଉଚିତ କି ହିଂସା କେବଳ ଆଉ ଗୋଟିଏ ହିଂସାକୁ ଜନ୍ମ ଦେଇଥାଏ । ଦେଶରେ ଦେଖା ଦେଇଥିବା ଆର୍ଥକ ସମସ୍ୟା ପାଇଁ ଏକ ଆର୍ଥିକ ସମାଧାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 

କହିରଖୁ କି ପ୍ରଦର୍ଶନ ବେଳେ ରାଜଧାନୀ କଲମ୍ବୋରେ ଯେଭଳି ଭାବେ ହିଂସା ଦେଖା ଦେଇଥିଲା ତାହାକୁ ନେଇ ପ୍ରଶାସନକୁ କର୍ଫ୍ୟୁ ଲଗାଇବାକୁ ପଡିଥିଲା । ସେପଟେ ବିରୋଧୀ ଦଳମାନେ ବି ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ।