ବ୍ରଜରାଜନଗର ଉପନିର୍ବାଚନ : କିଶୋରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ପୁଣିଥରେ ଗଡକୁ କମବ୍ୟାକ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ ।

149

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି ଦଳ । କିଶୋରଙ୍କ ଭଳି ପୁରୁଖା ଓ ଅନୁଭବୀ ନେତାଙ୍କ  ଉପରେ ଭରସିବା ସହ ବ୍ରଜରାଜନଗର ବାଜି ଜିତିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।  ପୂର୍ବରୁ ଏହା କଂଗ୍ରେସର ଗଡ ରହିଥିବା ବେଳେ ପୁଣିଥରେ ଏଠାରେ କଂଗ୍ରେସ ହାତ ଟେକିବ ବୋଲି ଆଶା ରଖିଛି । ପୂର୍ବରୁ କିଶୋର ବ୍ରଜରାଜନଗରରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସଂକେତ ଦେଇଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଏହାପୂର୍ବରୁ ବିଜେପି ରବିବାର ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପୁଣିଥରେ ଦଳ ଏଠାରେ ଭରସିଛି । ସେହିଭଳି ବିଜେଡି ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ତେଣୁ ଚଳିତ ଉପ-ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟଦାନ ହେବାକୁ ଥିବା ବେଳେ ଜୁନ୍ ୩ରେ ଫଳାଫଳ ପ୍ରକାଶ ପାଇବ ।