ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ ।

219

କନକ ବ୍ୟୁରୋ: ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି ।

ବାପ ଘରକୁ ବୁଲିଯାଇଛନ୍ତି ମହାଲକ୍ଷ୍ମୀ । ସକାଳୁ କାଉ କା’ ନ ରାବୁଣୁ ରନ୍ଧାବଢ଼ା ସାରି ରାମକୃଷ୍ଣ ଦୁଇଭାଇ ଙ୍କୁ ଖୁଆଇ ଦେଇଛନ୍ତି ମା ଯଶୋଦା । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ ବଳରାମଙ୍କୁ । ସେହି ସ୍ମୃତିକୁ ମନେପକାଇ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ପହିଲି ଭୋଗ । ଧନୁ ସଂକ୍ରାନ୍ତି ରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆଉ ଶେଷ ହେବ ମକର ସଂକ୍ରାନ୍ତି ଦିନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି କରାଯାଇ ପ୍ରତିଦିନ ପହିଲି ସକାଳୁ ଶ୍ରୀଜିଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ଭୋଗ ପିହିଲି ଭୋଗ । ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତସମୂହ ସମସ୍ତେ ଅପେକ୍ଷା କରିଥାନ୍ତି ବର୍ଷକୁ ଥରେ ଏହି ସ୍ୱତନ୍ତ୍ର ପହିଲି ଭୋଗ ପାଇବା ପାଇଁ ।

ତେବେ ସକାଳ ହୋଇଗଲେ ଯଦି ଭୋଗ ନ ଲାଗିଥାଏ ଏହି ଭୋଗ ମାରା ହୋଇଯିବାର ବିଧି ମଧ୍ୟ ରହିଛି । ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ ଅନୁଯାୟୀ ରାତି ୨ଟା ୪୦ ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆରତୀ । ଭୋର ୬ଟା ଭିତରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ନୀତି ଶେଷ କରାଯାଇଛି । ଏହା ପରେ ଶ୍ରୀଜିଉଙ୍କର ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି । ପହିଲି ଭୋଗରେ ଶ୍ରୀଜିଉଙ୍କୁ ଅର୍ପଣ କରାଯାଇଥିଲା ୩୨ ପ୍ରକାର ପିଠା ।