ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ନୁହେଁ ଦୁଷ୍କର୍ମ। ଓଡିଶା ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ରାୟ ।

34,786

କନକ ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ । ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଜଣେ ପ୍ରାପ୍ତବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରି ୧୨ରେ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା । ସେଠାରେ ଅଭିଯୁକ୍ତ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । କିଛି ଦିନ ପରେ ସେ ପୀଡ଼ିତାଙ୍କୁ ଛାଡି ପଳାଇଥିଲା । ଖବର ପାଇ ପୀଡ଼ିଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।