ସେପ୍ଟେମ୍ବର ପହିଲା, ବଦଳିବ ଏକାଧିକ ନିୟମ

514

କନକ ବ୍ୟୁରୋ: ସେପ୍ଟେମ୍ବର ପହିଲା, ଦେଶରେ ହେବ ଏକାଧିକ ନିୟମରେ ପରିବର୍ତ୍ତନ । ଟୋଲ ଟ୍ୟାକ୍ସଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ଗ୍ୟାସ ସିଲିଣ୍ଡର ସବୁଥିରେ ହେବ ପରିବର୍ତ୍ତନ । ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଉପରେ ପଡିବ ପ୍ରଭାବ ।

ନୂଆ ମାସ ନୂଆ ନିୟମ ।ମାସ ବଦଳିବା ସଙ୍ଗେ ବଦଳିଯାଉଛି ବିଭିନ୍ନ କ୍ଷେତ୍ରରେ ନିୟମ । ବ୍ୟାଙ୍କିଙ୍ଗ୍ , ଟୋଲ ଟ୍ୟାକ୍ସ ଓ ପ୍ରପର୍ଟି ସମେତ ଏକାଧିକ ସେବା କ୍ଷେତ୍ରରେ ପରିବର୍ତ୍ତନ ହେବ । ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ପଡିପାରେ ।ତେବେ ଜାଣି ନିଅନ୍ତୁ ସେପ୍ଟେମ୍ବର ପହିଲାରୁ ହେଉଥିବା ପରିବର୍ତ୍ତନ ବାବଦରେ ।

ସରକାରୀ ତୈଳ କମ୍ପାନୀ ଗୁଡିକ ପ୍ରତି ମାସର ପ୍ରଥମ ତାରିଖରେ ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ କରନ୍ତି । ଏଥର ମଧ୍ୟ କିଛି ପରିବର୍ତ୍ତନ ହେବ । ସେପ୍ଟେମ୍ବର ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦର ବଢିପାରେ କିମ୍ବା କମିପାରେ । ଯଦି ଆପଣ ବର୍ଦ୍ଧିତ ଦରରୁ ମୁକ୍ତି ଚାହୁଁଛନ୍ତି ତେବେ ଏହା ପୂର୍ବରୁ ଗ୍ୟାସ ବୁକିଙ୍ଗ କରନ୍ତୁ ।

ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ କିଛି ପରିବର୍ତ୍ତନ ହେବ । ଖାସ୍ କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅନେକ ଦିନରୁ ନିଜ ଗ୍ରାହକଙ୍କୁ କେୱାଇସି ଅପଡେଟ୍ କରିବାକୁ ସୂଚନା ଦେଇଆସୁଛି । କେୱାଇସି ଅପଡେଟ୍ କରିବାର ଶେଷ ଜୁଲାଇ ୩୦ରୁ ବଢାଇ ଅଗଷ୍ଟ ୩୧ ତାରିଖକୁ ଧାର୍ଯ୍ୟ କରିଥିଲା ବ୍ୟାଙ୍କ । ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଯଦି ନିର୍ଦ୍ଧାରିତ ସମୟ ସୀମା ଭିତରେ ଏହା କରାନଯାଏ ତେବେ ଗ୍ରାହକ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ କି ଏଥିରୁ ଟଙ୍କା ଉଠାଇପାରିବେ ନାହିଁ । ତେଣୁ କେୱାଇସି ଅପଡେଟ୍ କରିବାକୁ ତୁରନ୍ତ ଆପଣଙ୍କ ଶାଖା ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ।

ଏହାସହ ସେପ୍ଟେମ୍ବର ୧ ତାରିଖରୁ ବୀମା ପଲିସିର ପ୍ରିମିୟମ୍ କମ୍ ହୋଇଯିବ । ଆଇଆରଡିଏଆଇ ଜେନେରାଲ ଇନସ୍ୟୁରାନ୍ସର ନିୟମରେ ପରିବର୍ତ୍ତନ ପରେ ଗ୍ରାହକଙ୍କୁ ଏଣିକି ୩୫ ପ୍ରତିଶତ ବଦଳରେ ୨୦ ପ୍ରତିଶତ କମିଶନ୍ ଏଜେଣ୍ଟକୁ ଦେବାକୁ ପଡିବ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା କମ୍ ପ୍ରିମିୟମ ଭରିବାକୁ ପଡିବ ।

ସେପ୍ଟେମ୍ବର ପହିଲାରୁ ଟୋଲ ଟ୍ୟାକ୍ସରେ ମଧ୍ୟ ପରିବର୍ତ୍ତନ ହେବ । ଦିଲ୍ଲୀ ଯିବା ଆସିବା ପାଇଁ ଯେଉଁମାନେ ଯମୁନା ଏକ୍ସପ୍ରେସ ୱେ ପଟଦେଇ ଯାଉଛନ୍ତି ସେମାନଙ୍କୁୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ନୂଆ ଦର ଅନୁସାରେ, କାର୍, ଜିପ୍, ଭ୍ୟାନ ଓ ହାଲକା ଯାନ ପାଇଁ ଟୋଲ ଦର ପ୍ରତି କିଲୋମିଟର ପିଛା ଏଥର ୨ଟଙ୍କା ୬୫ ପଇସା ଦେବାକୁ ପଡିବ । କିଲୋମିଟର ପିଛା ୧୦ ପଇସା ବଢିଛି । ସେହିପରି କମର୍ସିଆଲ ଯାନ ଗୁଡିକୁ ୫୨ ପଇସା ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ।

ସେପ୍ଟେମ୍ବର ପହିଲାରୁ ଘର କିଣିବା ମଧ୍ୟ ମହଙ୍ଗା ହେବ । ଯଦି ଆପଣ ଘର କିଣିବାକୁ ପ୍ଲାନିଙ୍ଗ କରିଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ସର୍କଲ ରେଟ୍ ୪ ପ୍ରତିଶତ ବୃଦ୍ଧି ପରେ ଘର କିଣିବା ଦର ବଢିବାର ଯଥେଷ୍ଟ ସମ୍ଭାବନା ଅଛି ।
ଯଦି ଆପଣ ଅଡି କାର୍ କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଧ୍ୟ ଆପଣଙ୍କୁ ସେପ୍ଟେମ୍ବର ପହିଲାରୁ ଅଧିକ ଟଙ୍କା ଦେବାକୁ ପଡିବ । କାରଣ ସେପ୍ଟେମ୍ବର ପହିଲାରୁ ଅଡି କାରର ଦରରେ ୨.୫ ପ୍ରତିଶତ ବୃଦ୍ଧି ହେଉଛି ।ଏସବୁ ଭିତରେ ସବୁ ବର୍ଗର ଲୋକଙ୍କ ଉପରେ ଅଳ୍ପେ ବୁହୁତେ ପ୍ରଭାବ ପଡିବା ।