ଦୁଇଗୁଣା ବେଗରେ ବଢୁଛି ସମୁଦ୍ରର ଜଳସ୍ତର । ସତର୍କ ସୂଚନା ଦେଲା ସଂଯୁକ୍ତ ରାଷ୍ଟ୍ର । ଜଳମଗ୍ନ ହେବ ଅଧିକାଂଶ ଦ୍ୱୀପ । 

3,564

କନକ ବ୍ୟୁରୋ: ଦୁଇ ଗୁଣା ବେଗରେ ବଢୁଛି ସମୁଦ୍ରର ଜଳସ୍ତର । ଖୁବଶୀଘ୍ର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହେବ ଜଳମଗ୍ନ । ଏନେଇ ରିପୋର୍ଟ ପ୍ରକାଶ କରିବା ସହିତ ସତର୍କ ସୂଚନା ଦେଇଛି ସଂଯୁକ୍ତ ରାଷ୍ଟ୍ର । ରିପୋର୍ଟ ମୁତାବକ, ୧୯୯୩ରୁ ୨୦୦୨ ଭିତରେ ସମୁଦ୍ରର ଜଳସ୍ତର ଯେଉଁ ବେଗରେ ବୃଦ୍ଧି ପାଉଥିଲା, ୨୦୧୩ରୁ ୨୦୨୨ ଭିତରେ ଏହା ଦୁଇ ଗୁଣା ବେଗରେ ବୃଦ୍ଧି ପାଉଛି । ତେବେ ଗତବର୍ଷ ରେକର୍ଡ ସ୍ପିଡରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇଥିବାବେଳେ, ଭବିଷ୍ୟତରେ ଏହା ବିଶ୍ୱ ପାଇଁ ବଡ ବିପଦ ସାଜିବ ବୋଲି କୁହାଯାଉଛି ।

ସଂଯୁକ୍ତ ରାଷ୍ଟ୍ର ପାଣିପାଗ ବିଜ୍ଞାନରର ସୂଚନା ମୁତାବକ, ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ବଡ କାରଣ ହେଉଛି ତାପମାତ୍ରା ବୃଦ୍ଧି । ଗ୍ଲେସିୟର ତରଳିବା କାରଣରୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି । ତେବେ ୨୦୧୩ରୁ ୨୦୨୨ ଭିତରେ ସମୁଦ୍ରର ଜଳସ୍ତର ପ୍ରତିବର୍ଷ ୪.୬୨ ମିଲିମିଟର ବୃଦ୍ଧି ପାଉଥିଲା । ଯାହାକି ୧୯୯୩ରୁ ୨୦୦୨ ଭିତରେ ବଢୁଥିବା ଜଳସ୍ତରର ଦୁଇ ଗୁଣା ସ୍ପିଡ୍ ।

ଡବ୍ଲୁଏମଓ ସେକ୍ରେଟାରୀ ଜେନେରାଲ ପେଟେରୀ ଟାଲସଙ୍କ କହିବା ମୁତାବକ, ଗ୍ଲେସିୟର ତରଳିବା ଦ୍ୱାରା ସମୁଦ୍ରର ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଉଛି । ବହୁଳ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେଉଥିବା କାରଣରୁ ଏପରି ହେଉଛି । ତେବେ ଜଳସ୍ତର ବୃଦ୍ଧି କେବଳ ଏବେ ନୁହେଁ, ଆଗାମୀ ହଜାରେ ବର୍ଷ ଧରି ଜାରି ରହିବ ବୋଲି କୁହାଯାଉଛି । ସମୁଦ୍ରର ଜଳସ୍ତର ବୃଦ୍ଧି ପାଇଲେ ତଟୀୟ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହେବ । ବିଶେଷକରି ଅଧିକାଂଶ ଦ୍ୱୀପର ନକ୍ସା ଲିଭିଯିବ । ଆଣ୍ଟାକର୍ଟିକାରେ ଗତ ବର୍ଷ ଜୁନ୍ ଓ ଜୁଲାଇ ମାସରେ ତୀବ୍ର ବେଗରେ ବରଫ ତରଳିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବା ଦ୍ୱାରା ଏହାର ପ୍ରଭାବ ମଣିଷ ସମାଜ ଉପରେ ମଧ୍ୟ ପଡିଛି । ଗତବର୍ଷ ୟୁରୋପରେ ହିଟ୍ ୱେଭ୍ କାରଣରୁ ୧୫ ହଜାର ଲୋକ ପ୍ରାଣ ହରାଇଥିଲେ ।  ଆସନ୍ତା ୨୦୬୦ ମସିହା ପର୍ଯ୍ୟନ୍ତ ପାଣିପାଗରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।

ଯଦି ଆଗାମୀ ଦଶନ୍ଧି ସୁଦ୍ଧା ତାପମାତ୍ରା ଆଉ ଦେଢ ଡିଗ୍ରୀ ବୃଦ୍ଧି ପାଏ, ତେବେ ଏହାର ଯଥେଷ୍ଟ ପ୍ରଭାବ ପଡିପାରେ । ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବା ସହିତ ତଟୀୟ ଅଞ୍ଚଳ ଜଳମଗ୍ନ ହେବ ବୋଲି କୁହାଯାଉଛି ।