ରାତି ଅଧିଆ ଜିପିଆର ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର । କହିଲେ, ମିଛ କହିଥିଲେ ପିନାକୀ, ଏଏସଆଇକୁ ସାଙ୍ଗରେ ନନେଇ କେମିତି ସର୍ଭେ କରୁଛି ଓବିସିସି ।

96

କନକ ବ୍ୟୁରୋ: ରାତି ଅଧିଆ ଜିପିଆର ସର୍ଭେକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର । ସେ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି । ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେଣୁ ଏଏସ୍ଆଇକୁ ସାଙ୍ଗରେ ନନେଇ ଓବିସିସି କିଭଳି ଏକୁଟିଆ ଜିପିଆର ସର୍ଭେ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଏପଟେ ରାତି ଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ଆରମ୍ଭ ହୋଇଛି ଜିପିଆର ସର୍ଭେ । ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି । ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ୍ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏମାର ମଠ ଜାଗାରେ ମଧ୍ୟ ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା । ଖୋଳତାଡ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣାପଡ଼ିଥିଲା ।

ଯେଉଁ ମେସିନ୍ ଦ୍ୱାରା ସର୍ଭେ କରାଯାଉଥିଲା ଜିପିଆରଏସ୍ ମେସିନ୍ ବୋଲି ଜଣାପଡ଼ିଥିଲା । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଏହି ସର୍ଭେ କରାଯାଉଛି । ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ସର୍ଭେ କରି ଦେବାକୁ କହିଥିଲା । ରାତିରେ ଏହି ସର୍ଭେ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହାରି ଭିତରେ ଦୁଇ ଦିନ ସର୍ଭେ କାମ ସରିଛି । ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିବା ବେଳେ ରାତି ଅଧିଆ ଏଭଳି ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।