ଓଡିଶାରେ ପ୍ରଥମ, ରାତିରେ ଆସିଲା ରାୟ: ଦୁଷ୍କର୍ମ ପୀଡିତାଙ୍କୁ ମାସକ ଭିତରେ ମିଳିଲା ନ୍ୟାୟ । ୫ ଦୁଷ୍ମର୍ମକାରୀଙ୍କୁ ଆଜୀବନ ଜେଲ ସହ ୫୦ ହଜାର ଜରିମାନା

36

କନକ ବ୍ୟୁରୋ: ଓଡ଼ିଶା ଇତିହାସରେ ବିରଳ । ନାବାଳିକାଙ୍କୁ ନ୍ୟାୟ ପାଇଁ ଦିନ ତମାମ ଚାଲିଲା କୋର୍ଟ । ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଲା ଶୁଣାଣି । ସମ୍ବଲପୁର ନାବାଳିକା ଦୁଷ୍ମର୍ମ ମାମଲାରେ ପକ୍ସୋ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ ।

ଏ ହେଉଛି ବିଳମ୍ବିତ ରାତିର ସେହି ଚିତ୍ର, ଯେତେବେଳେ ୧୫ ଘଂଟାର ବିଚାର ପ୍ରକ୍ରିୟା ଶେଷ ହେବା ପରେ ଦୋଷୀସାବ୍ୟସ୍ତ ଅଭିଯୁକ୍ତଙ୍କୁ ନେଇ ସମ୍ବଲପୁର ଫାଷ୍ଟଟ୍ରାକ୍ କୋର୍ଟରୁ ବାହାରୁଛି ପୁଲିସ୍ । ଆଉ ନ୍ୟାୟିକ ଇତିହାସରେ ଘଟୁଛି ବଡ଼ଧରଣର ପରିବର୍ତନ । ଦୁଷ୍କର୍ମ ଅଭିଯୋଗର ମାସକ ମଧ୍ୟରେ ବିଚାର ଶେଷ ହୋଇଥିବା ବେଳେ ଶାସନ ପୀଡ଼ିତାଙ୍କୁ ଶେଷକୁ ନ୍ୟାୟ ମିଳିଛି ।

 

ମାମଲାରେ ୫ ଜଣ ଦୋଷୀ ଆଫଜଲ ରାଜା, ଟିନୁ ସାହୁ, ହାଡୁ ପାଂଚଭାୟା, ଅଭିଳାଶ ପାଂଚଭାୟା ଓ ଆଶିର୍ବାଦ ବେହେରାକୁ ଆଜୀବନ କାରାଦଣ୍ଡ ଓ ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ପରିପ୍ରେକ୍ଷୀରେ ତ୍ୱରିତ ନ୍ୟାୟ ପାଇଁ ସବୁ ମହଲରୁ ଦାବି କରାଯାଉଥିଲା ଆଉ ଏହାକୁ ଦୃଷ୍ଟିରେ ରଖି କୋର୍ଟରେ ଶନିବାର ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମାମଲାର ବିଚାରପ୍ରକ୍ରିୟା ଚାଲିଥିଲା ।

କାହାଣୀ ଶାସନର ସେହି ଅସହାୟ ନାବାଳିକାଙ୍କର । ଏକ ମାସ ତଳେ ଅର୍ଥାତ୍ ମେ ୨ ତାରିଖ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଶାସନ ବଜାରରେ ନିଜ ବନ୍ଧୁଙ୍କ ସହ କଥା ହେଉଥିଲେ । ତେବେ ଏହି ସମୟରେ ୫ ଜଣ ଯୁବକ ଆସି ନାବାଳିକା ଛାତ୍ରୀଙ୍କୁ ଭୟ ଦେଖାଇ ପାଖ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ରାତିସାରା ଜଙ୍ଗଲର ବିଭିନ୍ନ ସ୍ଥାନରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାର ଠିକ୍ ୨୧ ଦିନ ପରେ ଅର୍ଥାତ୍ ୨୩ ତାରିଖ ସନ୍ଧ୍ୟାରେ ଏହି ନାବାଳିକା ଜଣକ ଆତ୍ମହତ୍ୟା କରିଦେଇଥିଲେ । ଘରେ କେହି ନଥିବା ସମୟରେ ସିଲିଂ ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିଲେ । ଲୋକଲଜ୍ଜ ସହିନପାରି ସଂପୃକ୍ତ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନବମ ଶ୍ରେଣୀରେ ବଢୁଥିବା ଛାତ୍ରୀ ଜଣକ ବଜାରରୁ ଫେରୁଥିବାବେଳେ ଦୁଷ୍କର୍ମ ହୋଇଥିଲା । ତେବେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶାର ନ୍ୟାୟିକ ଇତିହାସରେ ବିଳମ୍ବିତ ରାତି ଯାଏଁ କୋର୍ଟ ବସିବା ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।