ରାୟଗଡ଼ାରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣାର ତନାଘନା : ୧୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କରୁଛନ୍ତି ଯାଞ୍ଚ

90

କନକ ବ୍ୟୁରୋ : ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତନାଘନା ଚଲାଇଛି କ୍ରାଇମବ୍ରାଞ୍ଚ ଟିମ୍ । ରାୟଗଡାରେ ପହଞ୍ଚି କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍ ପୁରା ଘଟଣାର ଯାଞ୍ଚ କରୁଛନ୍ତି । ଆଜି ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଯେଉଁ ରୁମରେ ବିଦେଶ ପର୍ଯ୍ୟଟକ ରହିଥିଲେ ଓ ଯେଉଁସ୍ଥାନରୁ ତାଙ୍କର ମୃତ ଦେହପଡିଥିଲା, ସେ ସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଛି । ଆଜି ରୁଷ ପର୍ଯ୍ୟଟକ ପାଭେଲ ଆଣ୍ଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ନମୂନା ସଂଗ୍ରହ କରିବ ବୋଲି ସୂଚନା ମିଳିଛି ।

ରୁଷୀୟ ସାଂସଦ ପାଭେଲ ଆଂଟୋଭଙ୍କ ମୃତ୍ୟୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବାରୁ, ତାଙ୍କର କେମିତି ଜୀବନ ଗଲା, ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି, ତାର କାରଣ ଖୋଜିବାକୁ ତଦନ୍ତକୁ କ୍ରାଇମବ୍ରାଞ୍ଚ ଜୋରଦାର କରିଛି । ଗତକାଲି ପାଭେଲ ଯେଉଁ ଛାତ ଉପରୁ ପଡି ମୃତ୍ୟୁ ହୋଇଛି ବୋଲି କୁହାଯାଉଛି, ସେଠି ଯାଞ୍ଚ କରିଛନ୍ତି । ହୋଟେଲ ତଳେ ଯେଉଁଠି ପାଭେଲ ପଡିଥିଲେ, ସେହି ସ୍ଥାନର ଯାଞ୍ଚ କରିବା ସହ ବିଭିନ୍ନ ଆଙ୍ଗେଲ ଫଟୋ ଉଠାଇଛନ୍ତି ।

ଏଥିସହ ହୋଟେଲ ମ୍ୟାନେଜର, କର୍ମଚାରୀଙ୍କ ସମେତ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରା ଉଚରା କରିଛନ୍ତି । ଆଜି ଶ୍ମଶାନରୁ ଫରେନସିକ୍ ଟିମ ସହାୟତାରେ ପାଭେଲ ଆଣ୍ଟୋଭଙ୍କ ଚିତାର ନମୂନା ସଂଗ୍ରହ କରି ଲାବକୁ ପଠାଯିବ ବୋଲି ସୂଚନା ମିଳିଛି । ରୁଷ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ତରବରିଆ ଭାବେ ଶବସକ୍ରାର କରିବା ଘଟଣା ବଡ ସନ୍ଦେହ ସୃଷ୍ଟି କରୁଛି । ତେଣୁ ସବୁ ପ୍ରକାର ସମ୍ଭାବ୍ୟ ଦିଗକୁ ଆଖିରେ ରଖି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଚଲାଇଛି ।