ୟୁକ୍ରେନର ଲିମାନ ସହର ଋଷ କବ୍ଚାରେ । ପୂର୍ବ ୟୁକ୍ରେନରେ ଲଢେଇ ଜାରିରଖିବା ମସ୍କୋର ଯୋଜନା ।

83

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ପୂର୍ବ ୟୁକ୍ରେନ ଉପରେ କବ୍ଚା କରିବା ପରେ ଋଷ ଆଗକୁ ବଢୁଥିବା ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପୀୟ ଦେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ୟୁକ୍ରେନକୁ ବିଭିନ୍ନ ଦେଶ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବାରୁ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ତେବେ ଶନିବାର ସେ ଏହି ମନ୍ତବ୍ୟରୁ ଓହରିଥିବା ଦେଖିବାକୁ ମିଳିଛି । ଋଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଋଷର ସୈନିକ ଏବଂ କ୍ରିମଲିନ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମିଳିତ ଦଳ ଲିମାନ ସହରକୁ ପୂରା କବ୍ଚା କରିନେଇଛନ୍ତି । ଏହି ସମସ୍ତ ବିଚ୍ଛିନ୍ନତାବାଦୀ ଋଷ ନିକଟରେ ଥିବା ଉଦ୍ୟୋଗିକ କ୍ଷେତ୍ର ଡୋନବାସରେ ଆଠବର୍ଷ ତଳେ ଲଢେଇ ଆରମ୍ଭ କରିଥିଲେ ।

ତେବେ ଏହାରି ଭିତରେ ୟୁକ୍ରେନର ରେଳ ବିଭାଗ ପୂର୍ବରେ ଥିବା ଲିମାନରେ ଅନେକ ଅସ୍ତ୍ରଶସ୍ତ୍ର ପହଞ୍ଚାଇଛି । ସେଠାରୁ ଲୋକଙ୍କୁ ମଧ୍ୟ ବାହାର କରିଛି । ଲିମାନ ଉପରେ କବ୍ଚା କରିବାର ଅର୍ଥ ଋଷ ସେନା ଏହି କ୍ଷେତ୍ରରେ ବଡ ସଫଳତା ପାଇଛି । ଏହି କ୍ଷେତ୍ରରେ ସୈନିକଙ୍କ ପାଇଁ ସିବକ୍ରୀ ଡୋନାତ୍ସ ନଦୀ ପାର କରିବାର ଚ୍ୟାଲେଞ୍ଜ ଥିଲା । ଋଷ ସେନା ଡୋନାବାସରେ ଆଗକୁ ବଢିବା ବର୍ତ୍ତମାନର ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଯାହାକୁ ସଫଳତାର ସହ ହାସଲ କରିଛି ସେନା ।
ସେପଟେ ୟୁକ୍ରେନର ଅଧିକାରୀ ଲିମାନ ପ୍ରସଙ୍ଗରେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଡୋନେସ୍କର ଗଭର୍ଣ୍ଣର ପାବଲ କିରିଲେଙ୍କୋ କହିଛନ୍ତି, ଋଷ ସୈନ୍ୟ ଏହି ଅଞ୍ଚଳର ଅନେକ ଅଂଶ ଉପରେ କବ୍ଚା କରିସାରିଛନ୍ତି । ବର୍ତ୍ତମାନ ସେମାନେ ଅନ୍ୟ ସହର ବାଖମୁଟ ଆଡକୁ ଅଗ୍ରସର ହେଉଛନ୍ତି ।

ତେବେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ହତ୍ରା ମାୟଲା ଏହି ଦାବିକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଲିମାନରେ ବର୍ତ୍ତମାନ ମଧ୍ୟ ଲଢେଇ ଜାରି ରଖିଛନ୍ତି । ଭିଡିଓ ସମ୍ବୋଧନରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ପୂର୍ବ ଅଞ୍ଚଳରେ ଜଟିଳ ସ୍ଥିତିଥିବା କହିଛନ୍ତି । ସେ ସେନାର ଯବାନଙ୍କୁ କହିଛନ୍ତି ନିଜର ପ୍ରୟାସ ଜାରିରଖନ୍ତୁ , ଆମକୁ ନିହାତି କୌଣସି ନା କୌଣସି ଫଳାଫଳ ମିଳିବ ।