ଖୋଲିବ ରୁଚିକା ଆତ୍ମହତ୍ୟା ରହସ୍ୟ! ସୁରାକ ପାଇବାକୁ ସିଙ୍ଗାପୁର ଯିବ ରୁଚିକାଙ୍କ ମୋବାଇଲ

191

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଏହି ଆତ୍ମହତ୍ୟା ମାମଲାରୁ ପରଦା ଉଠାଇବାକୁ ପୋଲିସ ଜୋରଦାର ପ୍ରୟାସ କରୁଛି । ରୁଚିକାଙ୍କ ମୋବାଇଲରୁ ଡାଟା ସଂଗ୍ରହ କରିବାକୁ ପୋଲିସ ଚେଷ୍ଟା କରୁଛି । ହେଲେ ଫୋନ ଖୋଲିବାରେ ପୋଲିସ ସଫଳ ହୋଇପାରୁନି । ତେଣୁ ଡାଟା ଯେପରି ଡିଲେଟ ନହୋଇ ଫୋନ ଖୋଲିବ ସେଥିପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ତେବେ ଏହି ମାମଲାରେ ରାଗିଂ ହେବା ନେଇ କୌଣସି ସୁରାକ ମିଳିନଥିବା ଡିସିପି କହିଛନ୍ତି । ଏହି ଘଟଣାରେ ରୁଚିକାଙ୍କ ସାଙ୍ଗ ସାଥି, ସମ୍ପର୍କୀୟଙ୍କୁ ମିଶାଇ ମୋଟ ୧୯୮ ଜଣଙ୍କୁ ପଚରାଉଚରା କରାଯାଇଛି । ଆଗକୁ ଏଦିଗରେ ଅଧିକ ତଦନ୍ତ କରାଯିବ ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ପୋଲିସ୍କୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ । ଝିଅକୁ ନ୍ୟାୟ ଦେବା ମାଆ ଅନଶନ ଜାରି ରଖିଛନ୍ତି । ତେବେ ଆଗକୁ ବି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ମାଆ ବିଜେବି କଲେଜ ପ୍ରିନ୍ସିପାଲ, ୱାର୍ଡେନ ଓ ସୁପରିନଟେଣ୍ଡେଂଟଙ୍କ ବହିଷ୍କାର ଦାବି କରିଛନ୍ତି । ଗତକାଲି ବିଜେବି କଲେଜ ଆଗରେ ଦଶାହ ଓ ଏକାଦଶାହ କର୍ମ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସେଠାରୁ ପୋଲିସ୍ ରୁଚିକାଙ୍କ ମାଆ ଓ ତାଙ୍କ ସମର୍ଥନରେ ଥିବା ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଥିଲା ।