ନଦୀ ପାର ହେବା ପାଇଁ ଦଉଡି ସାଜିଛି ଭରସା: ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାରଘାଟ ଯିବାକୁ ବାଜିରେ ଲାଗୁଛି ଜୀବନ 

63

କନକ ବ୍ୟୁରୋ: ନଦୀ ପାର ହେବା ପାଇଁ ଦଉଡ଼ି ସାଜିଛି ଭରସା । କୁନି କୁନି ପିଲାଙ୍କୁ ଦଉଡ଼ି ସାହାଯ୍ୟରେ ସ୍କୁଲ ପଠାଉଛନ୍ତି ବାପା ମା’ । ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବାଙ୍କିଝୋଲା ଗାଁକୁ ଯିବାକୁ ହେଲେ ନଦୀ ସାଜିଛି ବାଧକ । ବର୍ଷା ଦିନ ଆସିଲେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ବର୍ଷ ବର୍ଷ ଧରି ଏହି ନଦୀ ଉପରେ ପୋଲଟିଏ ନଥିବାରୁ ବାଙ୍କୀଝୋଲ, ଚଢିଆପଦା, ଜକରାପଲ୍ଲୀ, କେନ୍ଦୁସାହି, ପେଜପାଣି ଭଳି ୫ଟି ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଦୈନିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ଘାଟ ଯିବା ପାଇଁ ବାଜିରେ ଲାଗୁଛି ଜୀବନ ।

ଫାଇଲନ୍ ବାତ୍ୟାରେ ହରଭଙ୍ଗି ନଦୀର ଏହି ଉପନଦୀରେ ଥିବା ଏକ କଲଭର୍ଟ ଭାସିଯାଇଥିଲା । ଯାହା ଫଳରେ ନଦୀ ପାର ହେବା ପାଇଁ ଦୁଇକୂଳରେ ରଶିବାନ୍ଧୀ ଲୋକେ ଯାତାୟତ କରୁଛନ୍ତି । ପିଲାଠୁ ବୟସ୍କ ସମସ୍ତେ ଜୀବନକୁ ବାଜିରେ ଲଗାଇ ଯାତାୟତ କରୁଛନ୍ତି । ଏପରିକି ଗାଁ ପିଲାମାନେ ୩ କିଲୋମିଟର ଦୂରରେ ଥିବା କୁସୁମପୁର ଓ ରାଣିଖମା ସ୍କୁଲକୁ ବିପଦ ଶଙ୍କୁଳ ଅବସ୍ଥାରେ ଯିବାକୁ ପଡ଼ୁଛି । ବାପା ମା’ ମାନେ  ପିଲାଛୁଆଙ୍କୁ କାନ୍ଧରେ ବସାଇ, ଲୁଗାରେ ବାନ୍ଧି ନଦୀ ପାର କରୁଛନ୍ତି । ପୋଲ ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ପୋଲଟି ନିର୍ମାଣ ହୋଇପାରୁନାହିଁ ।