Happy Birthday କ୍ରିସ୍ ଗେଲ୍ । ଟି-୨୦ କ୍ରିକେଟର ବେତାଜ ବାଦଶାହା, ୪୩ ବର୍ଷ ବୟସରେ ବି ନେଇନାହାନ୍ତି କ୍ରିକେଟରୁ ଅବସର?

149

କନକ ବ୍ୟୁରୋ : କ୍ରିକେଟ ଜଗତରେ ୟୁନିଭର୍ସ ବସ୍ ଭାବେ ଜଣାଶୁଣା କ୍ରିସ ଗେଲଙ୍କର ଆଜି ଜନ୍ମଦିନ । ଏବେ ୪୩ ବର୍ଷ ବୟସରେ ପାଦ ଦେଇଛନ୍ତି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର କ୍ରିସ୍ ଗେଲ । କ୍ରିସ ଗେଲଙ୍କର ସମବୟସ୍କ ଅନେକ କ୍ରିକେଟର ଏବେ କ୍ରିକେଟ ମୈଦାନ ଛାଡି ସାରିଛନ୍ତି କିନ୍ତୁ ଗେଲ ଏବେ ବି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାନ୍ତି । ୨୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଗେଲ ଏମିତି ଅନେକ ରେକର୍ଡ କରିଛନ୍ତି ଯାହା ଏବେ ବି ଅତୁଟ ରହିଛି ।

ଟି-୨୦ ଫର୍ମାଟରେ ସିକ୍ସର କିଙ୍ଗ୍ ଭାବେ ଜଣାଶୁଣା କ୍ରିସ୍ ଗେଲ । ନିଜର ବିଧ୍ୱଂସୀ ବ୍ୟାଟିଂ ପାଇଁ ବୋଲରଙ୍କ ମନରେ ଛନକା ଭରିଥାନ୍ତି କ୍ରିସ୍ ଗେଲ । ଏପରି ବିଶ୍ୱର କୌଣସି ଟିମ୍ ନଥିବ ଯାହା ବିରୋଧରେ କ୍ରିସ୍ ଗେଲ ବଡ ଇନିଂସ ଖେଳିନଥିବେ । ଏହାସତ୍ତେ୍ୱ ମଧ୍ୟ ଚଳିତ ଟି-୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଟିମରେ ଗେଲଙ୍କୁ ସ୍ଥାନ ମିଳିନାହିଁ । ଏହାପଛର ବଡ କାରଣ ହେଲା ବୟସ ବଢିବା ସହ ଗେଲଙ୍କ ବ୍ୟାଟରୁ ଆଉ ସେଭଳି ବିଶାଳ ସ୍କୋର ଆସୁନାହିଁ । ୨୦୦୭ ଟି-୨୦ ବିଶ୍ୱକପ ସମୟରେ ଗେଲ ଯେଉଁଭଳି ବିସ୍ଫୋରକ ବ୍ୟାଟିଂ କରୁଥିଲେ ତାହା ଆଉ ଦେଖିବାକୁ ମିଳୁନାହିଁ । ୨୦୦୭ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଥିଲା ସତ କିନ୍ତୁ ଏହି ବିଶ୍ୱକପରେ ନିଜର ଦମଦାର ଇନିଂସ ପାଇଁ କ୍ରିକେଟପ୍ରେମୀଙ୍କ ମନ ଜିଣିଥିଲେ ଗେଲ୍ । ଟି-୨୦ ବିଶ୍ୱକପରେ ମୋଟ ୯ଟି ଶତକ ଥିବା ବେଳେ ୨ଟି ଶତକ ମାରିବାର ରେକର୍ଡ ଗେଲ ନିଜ ନାଁରେ କରିଛନ୍ତି । ଏହାଛଡା ଟି-୨୦ ବିଶ୍ୱକପରେ ପ୍ରଥମ ଶତକ ହାସଲକାରୀ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ଗେଲ ।

ଏହାବାଦ୍ ଟି-୨୦ ଫର୍ମାଟରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ଗେଲ୍ । ବିଭିନ୍ନ ଲିଗ୍, ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୪ ହଜାରରୁ ଅଧିକ ରନ୍ ହାସଲ କରିଛନ୍ତି ଗେଲ । ଆଉ ଏକମାତ୍ର ଖେଳାଳୀ ଭାବେ ଟି-୨୦ ଫର୍ମାଟରେ ୧୦୦୦ରୁ ଅଧିକ ଛକା ମାରିଛନ୍ତି ଗେଲ । ଏହାଛଡା ଆଇପିଏଲରେ ମଧ୍ୟ ଗେଲଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏବେସୁଦ୍ଧା ୧୪୨ଟି ମ୍ୟାଚରୁ ୪୯୬୫ ରନ୍ କରିଛନ୍ତି ଗେଲ୍ । ବିଭିନ୍ନ ଫ୍ରାଞ୍ଚଇଜ ପକ୍ଷରୁ ଆଇପିଏଲ ଖେଳିଛନ୍ତି ଗେଲ୍ । କୋଲକାତା ପକ୍ଷରୁ ଖେଳି ଆଇପିଏଲରେ ଏଣ୍ଟ୍ରି ମାରିଥିଲେ ଗେଲ୍ । କିନ୍ତୁ ବାଙ୍ଗାଲୋର ପକ୍ଷରୁ ଖେଳିବା ବେଳେ ଗେଲଙ୍କ ବ୍ୟାଟରୁ ଅନେକ ଗୁଡିଏ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା । ୨୦୧୩ରେ ପୁଣେ ବିପକ୍ଷରେ ୩୦ ବଲରୁ ଶତକ ହାସଲ କରି ଇତିହାସ ରଚିଥିଲେ ଗେଲ୍ । ଏହି ମ୍ୟାଚରେ ଗେଲ୍ ୧୭ଟି ଛକା ମାରିବା ସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ । ତେବେ ବ୍ୟକ୍ତିଗତ କାରଣ ପାଇଁ ଗତ ଆଇପିଏଲରୁ ନିଜକୁ ଦୂରେଇ ରଖିଥିଲେ ଗେଲ୍ । କିନ୍ତୁ ୨୦୨୩ ଆଇପିଏଲରେ ପୁଣିଥରେ ମୈଦାନକୁ ଫେରିବାକୁ ସଂକେତ ଦେଇଛନ୍ତି ୟୁନିଭର୍ସ ବସ୍ । ବାଙ୍ଗାଲୋର ଓ ପଞ୍ଜାବ ପାଇଁ ଟାଇଟଲ ଜିତିବାକୁ ଇଚ୍ଛା ବୋଲି କହିଛନ୍ତି ଗେଲ ।

କ୍ରିକେଟରୁ ଏଯାବତ୍ ଅବସର ନେଇନଥିବା ଗେଲ ଜାମାଇକାରେ ଶେଷ ମ୍ୟାଚ୍ ଖେଳିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ତେଣୁ ଜାମାଇକାରେ ଶେଷ ମ୍ୟାଚ୍ ଖେଳିବା ପରେ କ୍ରିକେଟରୁ ଅବସର ନେଇପାରନ୍ତି ଗେଲ୍ । ଏସବୁ ଭିତରେ ଗେଲ ଏବେ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ କାଟୁଥିବାର ଦେଖିବାକୁ ମିଳିଛି । ସାଙ୍ଗମାନଙ୍କ ସହ ପାର୍ଟି କରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଛାଡିଥାନ୍ତି ଗେଲ । ତେବେ କ୍ରିକେଟରୁ ଅବସର ନେବା ପୂର୍ବରୁ ଗେଲଙ୍କ ବ୍ୟାଟରୁ ପୁଣିଥରେ ବିସ୍ଫୋରକ ଇନିଂସ ଦେଖିବାକୁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ ।