ବିଜେପୁର ଉପନିର୍ବାଚନରେ ନବୀନଙ୍କୁ ଟପିଲେ ରୀତା । ସର୍ବାଧିକ ଭୋଟରେ ବିଜୟୀ ହେବା ଏକପ୍ରକାର ସ୍ପଷ୍ଟ, ୨୦୧୮ ଉପନିର୍ବାଚନରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ରୀତା ।

975

କନକ ବ୍ୟୁରୋ : ନବୀନଙ୍କୁ ଟପିଲେ ରୀତା । ବିଜେପୁର ଉପନିର୍ବାଚନରେ ଦଳର ସୁପ୍ରିମୋଙ୍କ ରେକର୍ଡ ଭାଙ୍ଗିଲେ ରୀତା ସାହୁ । ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ରୀତା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କ ଠାରୁ ୮୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ଭୋଟ ଗଣତିକୁ ଆଉ ମାତ୍ର ୪ ରାଉଣ୍ଡ ବାକି ଥିବା ବେଳେ ବିଜେପୁରରେ ବିଜେଡିର ବିଜୟ ବାନା ଉଡିବା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି । ତେବେ ଏହି ଉପନିର୍ବାଚନରେ ନବୀନଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ରୀତା ।

୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୧୨୦୯୮୪ ଭୋଟ ପାଇଥିବା ବେଳେ ସନତ ଗଡତିଆଙ୍କୁ ମିଳିଛି ୩୩୬୧୧ ଭୋଟ । ଆଉ ଏହାସହ ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୮୭ ହଜାରରୁ ଅଧିକ ରହିଛି । ଗତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୧୦୬୦୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୭୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ମାତ୍ ଦେଇଥିଲେ । ଏହାସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି ରୀତା । ଏହାପୂର୍ବରୁ ଚଳିତ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡାରେ ୮୧୪୩୦ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା ।