ତାପମାତ୍ରା ବୃଦ୍ଧି ଯୋଗୁଁ ବଢୁଛି ଅପରାଧ ଓ ହିଂସା , ଇଣ୍ଟରନ୍ୟାସନାଲ ଷ୍ଟଡିରେ ପ୍ରକାଶ ପାଇଲା ଭୟାନକ ତଥ୍ୟ

203

କନକ ବ୍ୟୁରୋ: ବଢୁଛି ତାପମାତ୍ରା, ବଢୁଛି ଅପରାଧ । କେବଳ ଭାରତରେ ନୁହେଁ ନେପାଳ, ପାକିସ୍ତାନ ସହିତ ଅଧିକାଂଶ ଦକ୍ଷିଣ ଏସୀୟ ଦେଶରେ ଦେଖାଯାଉଛି ଏହି ସମସ୍ୟା । ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବରେ ସବୁଠୁ ପ୍ରଭାବିତ ହେଉଛି ବ୍ୟକ୍ତିଗତ ସମ୍ପର୍କ ଏବଂ ବଢୁଛି ଘରୋଇ ହିଂସା । ଆଗକୁ ଏହି ସମସ୍ୟା ଆହୁରି ଉଗ୍ର ରୂପ ନେଇପାରେ ବୋଲି ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ‘ଜାମା ସାଇକିଆଟ୍ରି’ର ନାମକ ଏକ ଅନ୍ତର୍ଜାତୀୟ ଅନୁସନ୍ଧାନ ରିପୋର୍ଟରେ ।

ପ୍ରକାଶିତ ରିପୋର୍ଟ ଅନୁସାରେ. ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଘରୋଇ ହିଂସା ବଢୁଛି । ଭାରତ ଓ ଏହାର ଆଖାପାଖ ରାଷ୍ଟ୍ରମାନଙ୍କରେ ଏଥିପାଇଁ ବ୍ୟକ୍ତିଗତ ସମ୍ପର୍କ ଖରାପ ହେବା ସହ ଯେନ ଉତ୍ପୀଡନ ପରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ମହିଳାଙ୍କ ବିରୋଧରେ ଇଣ୍ଟିମେଟ୍ ପାର୍ଟନର ଭାୟୋଲେନ୍ସ (IPV) ରେ ବୃଦ୍ଧି ହେଉଛି ।

ସର୍ଭେ ରିପୋର୍ଟ ମୁତାବକ, ଭାରତ ସହ ପାକିସ୍ତାନ ଓ ନେପାଳରେ ୧୫ରୁ ୪୯ ବୟସ ମଧ୍ୟରେ ୧.୯୪ ଲକ୍ଷରୁ ଅଧିକ ମହିଳା ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ସହ ଭାବନାତ୍ମକ, ଶରୀରିକ ଓ ଯୌନ ହିଂସା ଭଳି ଘଟଣା ଘଟିଛି । (୨୦୧୦-୨୦୧୮) । ଏହା ହେଉଛି ଚିନ୍, ପାକିସ୍ତାନ, ଅଷ୍ଟ୍ରେଲିଆ, ଜର୍ମାନୀ, ତାନଜାନିଆ, ଇଂଲଣ୍ଡର ବୈଜ୍ଞାନିକମାନେ ମିଳିତ ଭାବେ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

କେବଳ ଏତିକି ନୁହେଁ ଭବିଷ୍ୟତରେ ତାପମାତ୍ରାରେ ଆହୁରି ବୃଦ୍ଧି ହେଲେ ଏହି ସମସ୍ୟା ଉକ୍ରଟ ହେବ । ପ୍ରତିବର୍ଷ ବିଶ୍ୱ ତାପମାତ୍ରା ୧ ଡିଗ୍ରୀ ସେଲସିୟସ୍ ବଢୁଥିବାବେଳେ IPV ର ମାତ୍ରା ମଧ୍ୟ ୪.୯ ପ୍ରତିଶତ ବଢୁଛି, ସବୁଠାରୁ ଅଧିକ ଶରୀରିକ ହିଂସା ବଢୁଛି । ଶରୀରିକ ହିଂସା ୨୩ ପ୍ରତିଶତ, ଭାବନାତ୍ମକ ହିଂସା ୧୨.୫ ପ୍ରତିଶତ, ଏବଂ ଯୌନ ହିଂସା ୯.୫ ପ୍ରତିଶତ ବଢୁଛି । ସର୍ବୋପରି ଚଳିତ ଦଶନ୍ଧୀର ଶେଷ ସୁଦ୍ଧା ଆଇପିଭି ୨୧ ପ୍ରତିଶତ ବଢିବାର ସମ୍ଭାବନା ରହିଛି ।

ପ୍ରଦୂଷଣ ଯୋଗୁଁ ଲଗାତାର ଅଙ୍ଗାରକାମ୍ଳ ପରିମାଣ ବଢିବାରେ ଲାଗିଛି । ଏହାର ଅଧିକ ପ୍ରଭାବ ଭାରତରେ ଦେଖିବାକୁ ମିଳୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯଦି ବିଶ୍ୱ ତାପନ ବୃଦ୍ଧିକୁ ନିୟନ୍ତ୍ରଣ କରାନଯାଏ ମହିଳାଙ୍କ ଉପରେ ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ।