ଅଲିଭ ରିଡଲେଙ୍କ ସୁରକ୍ଷା ଲାଗି ମାଛଧରା ଉପରେ କଟକଣା : ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ..ସରକାରୀ ସୁବିଧା ବି ମିଳୁନି

ପ୍ରଥମେ କରୋନା ଯୋଗୁଁ ବନ୍ଦ ଥିଲା ମାଛଧରା

43

କନକ ବ୍ୟୁରୋ : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ବନ ବିଭାଗ ତରଫରୁ ଜାରି କରାଯାଇଛି କଟକଣା । ମାଛ ମାରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତବର୍ଷ ନଭେମ୍ବର ମାସରୁ କଟକଣା ଜାରି ହୋଇଥିବା ବେଳେ ଏପ୍ରିଲ ମାସରୁ ଲକଡାଉନ କାରଣରୁ ଦୀର୍ଘ ୧୦ମାସ ଧରି ଶହଶହ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଛନ୍ତି । ବନ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।

ପ୍ରଥମେ ସରକାରଙ୍କ କରୋନା ଲକଡାଉନ ଓ ପରେ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଧାମରା ଠାରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ବନବିଭାଗର କଟକଣା । ଏହି କଟକଣା ପରେ କଟକଣା, ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କରୋନା ସଂକ୍ରମଣ ଭୟରେ ୨୦୨୦ ଏପ୍ରିଲରୁ ଅକ୍ଟୋବର ଯାଏଁ ସମୁଦ୍ର ପଥରେ ଅନ୍ୟରାଜ୍ୟକୁ ମାଛ ମାରିବାକୁ ଛାଡିଲା ନାହିଁ ପ୍ରଶାସନ । ପରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ’ ମାସ ଯାଏଁ କଟକଣା ଲଗାଇଛି ବନ ବିଭାଗ । ଏଭଳି ସ୍ଥିତିରେ ଜୀବିକା ହରାଇ ଏଣେ ତେଣେ ବୁଲୁଛନ୍ତି ମତ୍ସ୍ୟଜୀବୀ । କାରଣ ଏମାନେ ମାଛ ଧରିଲେ ଘରେ ଚୁଲି ଜଳେ । ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ମେଡିକାଲ ଖର୍ଚ୍ଚ ସବୁ କିଛି ହୁଏ । ତେଣୁ ସରକାର କଇଁଛଙ୍କ ସୁରକ୍ଷା ସହ ମତ୍ସ୍ୟଜୀବୀଙ୍କ ଜୀବନ ବଂଚିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ସମୁଦ୍ର ଉପକୂଳରେ ମାଛ ଧରା ଉପରେ କଟକଣା ଜାରି କରିଥିବା ବନ ବିଭାଗ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବା କଥା । ହେଲେ କେନ୍ଦ୍ରାପଡା ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଅନୁଦାନ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ କିଛି ମତ୍ସ୍ୟଜୀବୀଙ୍କୁ ମାସିକ ୭ହଜାର ୫ଶହ ଟଙ୍କା ଦିଆଯାଉଛି, କିଛି ମତ୍ସ୍ୟଜୀବୀଙ୍କ ପରିବାର ଏଥିରୁ ବାଦ ପଡିଥିବା ରାଜନଗର ବନଖଣ୍ଡ ଅଧିକାରୀ ସ୍ୱୀକାର କରିଛନ୍ତି ।ପ୍ରଶାସନର କଟକଣା ଯୋଗୁଁ ପ୍ରାୟ ୧୦ ମାସ ହେବ ମାଛ ଧରା ବନ୍ଦ ରହିଛି । ପ୍ରଥମେ କରୋନା ଆଉ ଏବେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ଉପକୂଳରେ ଲଗା ଯାଇଥିବା କଟକଣା ମତ୍ସ୍ୟଜୀବୀଙ୍କ ଜୀବନ ଜିବିକାକୁ ଦୋହଲାଇ ଦେଇଛି ।