ରାଜପଥରେ ମଦ ପିଇ ଗାଡି ଚଳାଉଥିଲେ ସାବଧାନ : ଜାତୀୟ ଓ ରାଜ୍ୟ ରାଜପଥରେ ବୁଲିବ ହାଇୱେ ପେଟ୍ରୋଲିଂ ଗାଡି

୧୮ଟି ଜିଲ୍ଳାର ଜାତୀୟ ଓ ରାଜ୍ୟ ରାଜପଥ ଉପରେ ନଜର ରଖିବ ୩୬ଟି ପାଟ୍ରୋଲିଂ ଟିମ୍

95

କନକ ବ୍ଯୁରୋ : ହାଇୱେ ପାଟ୍ରୋଲିଂ ସେବାକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ଜିଲ୍ଳାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକରେ ୩୬ଟି ହାଇୱେ ପାଟ୍ରୋଲିଂ ଗାଡ଼ି ବୁଲିବ ।

ଭୁବନେଶ୍ୱର, ଖୋର୍ଦ୍ଧା, ମଙ୍ଗୁଳି, ପାଣିକୋଇଲି) ରାଜପଥ ଉପରେ କଡା ନଜର ରଖିବ ଏହି ପାଟ୍ରୋଲିଂ ଗାଡି । ଜାତୀୟ ଓ ରାଜ୍ୟ ରାଜପଥରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା, ଅପରାଧ, ଗୁଣ୍ଡାରାଜ ଓ ଦ୍ରୁତ ଗାଡି ଚାଳନା ଉପରେ ରୋକ ଲଗାଇବ, ହାଇୱେ ପାଟ୍ରୋଲିଂ ସେବା । ଜାତୀୟ ରାଜପଥରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି ।

କଟକ ଟାଙ୍ଗୀ ଥାନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ମଙ୍ଗୁଳି ଏକ ବ୍ୟସ୍ତ ବହୁଳ ଅଂଚଳ । ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ ନେଇ ଏଠାରେ କଟକ ଜିଲ୍ଲା ଗ୍ରାମାଂଚଳ ଏସ.ପି ଯୁଗୋଳ କିଶୋରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପୋଲିସ ଡି.ଜି ଅଭୟ, ଆଇ.ଜି କ୍ରାଇମ୍ ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ଭବାନି ଶଙ୍କର ଚଇନି, ସାଲେପୁର ବିଧାୟକ ପ୍ରଶାନ୍ତ ବେହୋରାଙ୍କ ସମେତ ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇବା ପରେ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ଗାଡି ୧୬ ନମ୍ବର ରାଜପଥରେ ମଙ୍ଗୁଳି ଠାରୁ ଛତିଆ, ୫୫ ନମ୍ବର ରାଜପଥ ମଙ୍ଗୁଳି ଠାରୁ ଛତିଆ ଓ ମଙ୍ଗୁଳି ଠାରୁ ଖୁଂଟୁଣି ପର୍ଯ୍ୟନ୍ତ ପାଟ୍ରୋଲିଂ କରିବ । ଅମାନିଆ ମଦ୍ୟପ ଗାଡି ଚାଳକଙ୍କୁ ସାବାଡ କରିବା ସହ ଦୁର୍ଘଟଣା ଜନିତ ସବୁ ଘଟଣା ଉପରେ କଡା ନଜର ରଖିବ ।

ଭୁବନେଶ୍ୱରରେ ଭିଡିଓ କନଫରେନ୍ସସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧାରେ ୩ଟି ପାଟ୍ରୋଲିଂ ଗାଡିର ଶୁଭାରମ୍ଭ ହୋଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ୍, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ପୁଲିସ ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ସନତ ମହାନ୍ତିଙ୍କ ଉପସ୍ଥିତିରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ୩ଟି ହାଇୱେ ପାଟ୍ରୋଲିଂ ଗାଡି ଖୋଦ୍ଧା ପିତାପଲି ଠାରୁ ବାଲୁଗାଁ ଯାଏଁ ରାଜପଥ ଉପରେ ନଜର ରଖିବ ।

ସେହିଭଳି ଯାଜପୁର ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ହାଇୱେ ପେଟ୍ରୋଲିଂ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡି ହାଇୱେ ପେଟ୍ରୋଲିଂ ସେବାରେ ଲାଗିଛି । ଆଗକୁ ଆହୁରି ୩/୪ ଟି ଗାଡି ଏହି ସେବାରେ ସାମିଲ କରାଯିବ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ବୁଲିବ । ଏବଂ ଜାତୀୟ ରାଜପଥରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।