ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ପରେ ଏବେ କିରୋସିନି ପାଳି । ମାସକରେ ଲିଟର ପିଛା ବଢିଲା ୧୫ ଟଙ୍କା, ମାଲକାନଗିରିରେ ୩ ମାସ ହେବ ହିତାଧିକାରୀଙ୍କୁ ମିଳୁନି କରୋସିନି ।

136

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ପରେ ଏବେ କିରୋସିନିରେ ଲାଗିଛି ନିଆଁ । କିରୋସିନିର ଦର ମାସକରେ ବଢିଛି ୧୫ ଟଙ୍କା । ମାଲକାନଗିରି ପରି ଉପାନ୍ତ ଜିଲ୍ଲାରେ କିରୋସିନି ଦର ଏବେ ୭୮ ଟଙ୍କା ଟପିଛି । ଆଉ ବିଡମ୍ବନା.. ମାସ ମାସ ଧରି ଜିଲ୍ଲାରେ କିରୋସିନି ପାଉ ନାହାନ୍ତି ହିତାଧିକାରୀ । ଫଳରେ ଅସହ୍ୟ ଗରମ ଓ ବିଦ୍ୟୁତ କାଟ ମଧ୍ୟରେ ଡିବିରି ଆଲୁଅ ଜାଳିବା ମଧ୍ୟ କଷ୍ଟକର ହୋଇପଡିଛି ।

ମାଲକାନଗିରି ଜିଲ୍ଲାରେ ୭୯ ଅତିକ୍ରମ କରିଛି ଲିଟର ପିଛା କିରୋସିନିି ଦର । ମାର୍ଚ୍ଚ ମାସ ଶେଷ ସୁଦ୍ଧା ମାଲକାନଗିରି ଜିଲ୍ଲାରେ କିରୋସିନିର ଲିଟର ପିଛା ୬୩ ଟଙ୍କାରୁ ୬୪ ଟଙ୍କା ରହିଥିଲା । ଆଉ ଏବେ ଏପ୍ରିଲ ୭୮ ଟଙ୍କା ୩୧ ପଇସାରୁ ୭୯ ଟଙ୍କା ରହିଛି । ମାସେ ବ୍ୟବଧାନରେ ପ୍ରାୟ ୧୫ ଟଙ୍କା ବଢିଛି । ଦର ବୃଦ୍ଧି ସତ୍ତେ୍ୱ ମାଲକାନଗିରି ଜିଲ୍ଲାରେ ମାସ ମାସ ଧରି କିରୋସିନି ପାଇପାରୁନାହାନ୍ତି ହିତାଧିକାରୀ । ସଦର ବ୍ଲକ ଅନ୍ତର୍ଗତ ସିଖପାଲି ପଂଚାୟତରେ ଗତ ୩ ମାସ ଧରି କିରୋସିନିି ମିଳିନଥିବା ବେଳେ ଡହଡହ ଖରାରେ ପଂଚାୟତ କାର୍ଯ୍ୟାଳୟକୁ ଆସି ନିରାଶରେ ଫେରି ଯାଉଛନ୍ତି ହିତାଧିକାରୀ ।

ଖରାଦିନେ ବିଜୁଳି କାଟ ହେଲେ ଗ୍ରାମାଞ୍ଚଳରେ କିରାସିନିରେ ଡିବିରି ବା ଲଣ୍ଠନ ଜାଳି ଅନ୍ଧାର ଦୂର କରିଥାନ୍ତି ଲୋକେ । ଏହାସହ ରବି ଋତୁରେ ଜଳସେଚନ ଲାଗି କିରୋସିନି ଚାଳିତ ପମ୍ପ ଉପରେ ନିର୍ଭର କରନ୍ତି ଚାଷୀ । ଏଥିପାଇଁ ଆଗରୁ କଳାବଜାରରୁ ୮୦ ଟଙ୍କା କିରାସିନି କିଣିବାକୁ ପଡୁଥିଲା । ଆଉ ଏବେ ୧୦୦ ଟଙ୍କାରେ ବି ମିଳୁନଥିବା କହିଛନ୍ତି, ମାଲକାନଗିରି ଜିଲ୍ଲା ଏମ୍ଭି ୪୩ ଗାଁର ଚାଷୀ ଅହିନ ବିଶ୍ୱାସ ।

କୁଆଡେ ଗଲା ସରକାରୀ କିରୋସିନି?
କୃତ୍ରିମ ଅଭାବ ସୃଷ୍ଟି କରୁଛି କି ଯୋଗାଣ ବିଭାଗ?
କାଗଜ କଲମରେ ଚାଲିଛି କି କିରୋସିନି ବଂଟନ?
ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ୧ ଲକ୍ଷ ୪୯ ହଜାର ୩୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪ ହଜାର ୯୮୯ ହିତାଧିକାରୀଙ୍କୁ ମାସିକ ଦେଢ ଲିଟର କିରୋସିନି ବାଣ୍ଟିବାର ବ୍ୟବସ୍ଥା ରହିଛି । ଗତ ଫେବ୍ରୁଆରୀ ଓ ମାର୍ଚ ମାସରେ ୪୨୦ କିଲୋ-ଲିଟର କିରୋସିନି ଆବଂଟିତ ହୋଇଛି । ତେବେ ସିଖପାଲି ପରି ଅନେକ ପଂଚାୟତରେ ୩ ମାସ ଧରି ବିଲକୁଲ୍ କିରୋସିନି ବଂଟନ ହୋଇନାହିଁ । ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।