ପୁଣିଥରେ ବଜାରକୁ ଫେରିଲା ୮୦ଦଶକର ଏହି ମୃଦୁପାନୀୟ, ଜାଣନ୍ତୁ ଏହି ଦେଶୀ ବ୍ରାଣ୍ଡକୁ କିଏ କଲା ଲଂଚ୍

957

କନକ ବ୍ୟୁରୋ : କାମ୍ପା କୋଲାର ନାମ ଏବେ ଗଣମାଧ୍ୟମରେ ପୁଣି ଚର୍ଚ୍ଚାକୁ ଆସିଛି । କିଛିଦିନ ମଧ୍ୟରେ ଏହି ଦେଶୀବ୍ରାଣ୍ଡ ମୃଦୁ ପାନୀୟ ପୁଣି ଘରେ ଘରେ ପହଂଚିବାକୁ ଯାଉଛି । ଏବେ ଏହି କମ୍ପାନୀର ପୁଣି ଲଂଚ ପଛରେ ରହିଛି ରିଲିଆନ୍ସର ହାତ । ଲୋକଙ୍କୁ ପୁଣି ଏହାର ସ୍ୱାଦ ଯଦି ପସନ୍ଦ ଆସିଲା ତେବେ ପୁଣିଥରେ ମାର୍କେଟରେ ଲିଡର ହୋଇଯିବ କାମ୍ପା କୋଲା । ଗତବର୍ଷ ରିଲିଆନ୍ସ ତରଫରୁ ଏହି କମ୍ପାନୀକୁ ୨୨ କୋଟି ଟଙ୍କାରେ କିଣାଯାଇଥିଲା । ଏବେ ଭାରତୀୟ ମୃଦ୍ୟୁପାନୀୟ କମ୍ପାନୀରେ ପେପସୀ ଓ କୋକା କୋଲାର ଦଖଲ ରହିଛି । ଏଭଳି ସ୍ଥଳେ କାମ୍ପା କୋଲାର ବଜାର ପ୍ରବେଶ ରିଲିଆନ୍ସକୁ କେତେ ସଫଳତା ଦେବ ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଦେଶ ସ୍ୱାଧୀନ ହେବାର ମାତ୍ର କିଛିବର୍ଷ ପରେ ଭାରତରେ କୋକା କୋଲାର ପ୍ରବେଶ ହୋଇଥିଲା । ଏହାର ବଜାର ପ୍ରବେଶ ପରେ ମୃଦୁପାନୀୟର ସ୍ୱାଦ ପାଇଁ ଏହା ଲୋକପ୍ରିୟ ହୋଇପାରିଥିଲା । ହେଲେ ଜରୁରୀକାଳୀନ ପରିସ୍ଥିତି ପରେ ଜନତା ପାର୍ଟି ସରକାର ବଜାର ନିୟମର କିଛି ପରିବର୍ତ୍ତନ କରିଥିଲେ । ଯାହାକି କୋକା କୋଲା କମ୍ପାନୀକୁ ପସନ୍ଦ ଆସି ନଥିଲା । ଏହାପରେ ସରକାରଙ୍କ ତରଫରୁ କୋକା କୋଲାକୁ ତାର ଫର୍ମଲା ଭାରତୀୟ କମ୍ପାନୀକୁ ଦେବାକୁ କୁହାଯାଇଥିଲେ ବି ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲା ।

ଏହାପରେ ଭାରତୀୟ କମ୍ପାନୀ ଡବଲ ସେଭନ ମୁୃଦୁପାନୀୟ ବଜାରକୁ ଛାଡିଥିଲା । ହେଲେ ଏହା ଲୋକଙ୍କ ପସନ୍ଦ ଆସି ନଥିଲା । ଏସବୁ ଭିତରେ କୋକା କୋଲା ଭାରତ ଛାଡିବାକୁ ନିଷ୍ପତ୍ତି ନେଇସାରିଥିଲା । ସେପଟେ ଜନତା ସରକାର ପରେ ପୁଣି ଇନ୍ଦୀରା ଗାନ୍ଧୀଙ୍କ ସରକାର ଆସିଗଲା । ଡବଲ ସେଭେନ ଲୋକଙ୍କ ପସନ୍ଦ ନଥିଲା ତ କୋକା କୋଲା ଭାରତ ଛାଡି ଯିବାକୁ ପ୍ରସ୍ତୁତ ହେଉଥିଲା । ଏହାରି ଭିତରେ ମାର୍କେଟ ପ୍ରବେଶ କରିଥିଲା କେମ୍ପା କୋଲା ।

୧୯୭୭ ମସିହାରେ କେମ୍ପା କୋଲା ତାର ପ୍ରଥମ ମୃଦୁ ପାନୀୟ ବଜାରକୁ ଛାଡିଥିଲା । ସେପଟେ ଅନ୍ୟଏକ ଭାରତୀୟ ବ୍ରାଣ୍ଡ ଥମ୍ସ ଅପ୍ ଲୋକପ୍ରିୟ ହେଉଥିଲା । ଏହାରି ମଧ୍ୟରେ କେମ୍ପା କୋଲାର ସ୍ୱାଦ ବି ଲୋକଙ୍କର ପସନ୍ଦ ଆସିଯାଇଥିଲା ।

୧୯୯୧ ମସିହାରେ ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ମନମୋହନ ସିଂ ଜଗତିକରଣକୁ ଅଗ୍ରାଧିକାର ଦେଇ ବିଦେଶୀ କମ୍ପାନୀମାନଙ୍କୁ ଭାରତରେ ବ୍ୟବସାୟ କରିବାକୁ ରାସ୍ତା ଖୋଲି ଦେଇଥିଲେ । ଏହି ସୁଯୋଗରେ କୋକା କୋଲା ପୁଣି ଭାରତୀୟ ବଜାରରେ ପ୍ରବେଶ କରିଥିଲା । କେବଳ କୋକା କୋଲା ନୁହେଁ ତା ସହିତ ପେପସୀ ବି ଭାରତୀୟ ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିଦେଇଥିଲା । ଏହି ଦୁଇ ବିଦେଶୀ କମ୍ପାନୀ କେମ୍ପା କୋଲାର ବ୍ୟବସାୟରେ ପ୍ରତିବନ୍ଧକ ସାଜିଥିଲେ । ବ୍ୟବସାୟରେ ମାନ୍ଦାବସ୍ଥା ଆସିଯିବାରୁ ୨୦୦୧ ମସିହାରେ କେମ୍ପାକୋଲା ନିଜର ଦିଲ୍ଲୀ କାର୍ଯ୍ୟାଳୟ ଓ ବଟଲିଂ ପ୍ଲାଣ୍ଟ ବନ୍ଦ କରିଦେଇଥିଲା । କେବଳ ହରିଆଣାର କିଛି ଭାଗରେ କେମ୍ପାକୋଲାର ବ୍ୟବସାୟ ଚାଲିଥିଲା ।

ଗତବର୍ଷ ଏହି କମ୍ପାନୀକୁ ରିଲିଆନ୍ସ ଟେକ୍ ଓଭର କରିଥିଲା । ୨୨ କୋଟି ଟଙ୍କା ବିନିମୟରେ ରିଲିଆନ୍ସ କେମ୍ପାକୋଲା କମ୍ପାନୀକୁ କିଣି ନେଇଥିଲା । ଏବେ କମ୍ପାନୀ ତରଫରୁ ୩ଟି ସ୍ୱାଦରେ କେମ୍ପାକୋଲାର ବଜାର ପ୍ରବେଶ କରାଯାଇଛି ।