ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ରଥ ଓ ରଥଯାତ୍ରା ବିଷୟରେ ବହୁ ପ୍ରବନ୍ଧ ଅତୀତରେ ଆଲୋଚିତ ହେଉଛି , ମାତ୍ର ମଣିଷ ଏହି ମହାନ୍ ଯାତ୍ରାର ମୈାଳିକତା ନିର୍ଣ୍ଣୟ କରିବା ଅବଧି ସମ୍ଭବ ହୋଇନାହିଁ । ଏହା ନିଶ୍ଚିତ ଯେ ରଥଯାତ୍ରା ମୈାଳିକତଃ ଜଗନ୍ନାଥଙ୍କ ସହ ସମ୍ପୃକ୍ତ । ତେଣୁ ସମ୍ପ୍ରତି ରଥ ନିର୍ମାଣ ପଦ୍ଧତି ଦୃଷ୍ଟିରୁ ଏହା ନିବନ୍ଧର ଉଦ୍ଦେଶ୍ୟ ରଖାଯାଉଛି –“ ରଥଯାତ୍ରାର ପ୍ରାଚୀନତାର ସନ୍ଧାନ ।”
Kanak News is now on WhatsApp
Join and get latest news updates delivered to you via WhatsApp
ଶିଳ୍ପାଚାର ଦୃଷ୍ଟିରୁ ଜଗନ୍ନାଥଙ୍କର ରଥନିର୍ମାଣ ପଦ୍ଧତି ଯେ ଅତି ପ୍ରାଚୀନ ଓ ବୈଦିକ ତତ୍ତ୍ୱର ପ୍ରତୀକ ଏହା ହିଁ ଚିିନ୍ତା କରିବାର ଆବଶ୍ୟକତା ରହିଛି । ବୈଦିକ ସାହିତ୍ୟ ଆତ୍ମାକୁ ଶରୀର ରୂପକ ରଥର ଆରୋହୀ ବୋଲି କହି ଅଛନ୍ତି ।
“ଆତ୍ମାନୁରଥୀନ୍ ବିଦ୍ଧି ଶରୀର ରଥମେବତୁ” ପ୍ରଭୃତି ବାକ୍ୟରେ ଏହା ପ୍ରତିପାଦିତ । ବୈଦିକ ସାହିତ୍ୟରେ ବିଶେଷ କରି ମୁଣ୍ଡକ ଉପନିଷଦର ୨,୨,୬,୩୮ ସୂତ୍ରରେ କହିଛନ୍ତି ହୃଦୟର ନାଡି ବିଦ୍ୟା ଜାଣିବାକୁ ହେଲେ ରଥ ନିର୍ମାଣର ଉଦାହରଣ ନେବା ସ୍ୱାଭାବିକ । ଶରୀର ଯେପରି କେତେଗୁଡିଏ ନାଡି ଦ୍ୱାରା ଆବଦ୍ଧ, ରଥ ସେହିପରି ଅର, ନାଭି ଦ୍ୱାରା ଆବଦ୍ଧ । ‘ଅରାଇବ ସଂହତା’ ସଃହ ଏଷଃ ଆତ୍ମା ଦର୍ଶକ, ଶ୍ରୋତା ପ୍ରଭୃତି ବହୁ ଭେଦରେ କଥିତ ହେଲେ ମଧ୍ୟ ଓଁ କାର ଦ୍ୱରା ସୀମାବଦ୍ଧ ହୋଇଥାଏ ।
“ଅରାଇବ ରଥନାଭୌ ସଂହତା ଯତ୍ର ନାଡ୍ୟଃ
ସ ଏଷୋଅନ୍ତ ଶରତେ ବହୁଧା ଜାୟମାନଃ
ଓଁ ମିଦ୍ୟେବ ଧ୍ୟାୟଥ ଆତ୍ମନଂ”
ଏହି ବାକ୍ୟକୁ ଦେଖିଲେ ପ୍ରାଚୀନ କାଳରେ ରଥରେ ନାଭି, ଚକ୍ର, ଅର ପ୍ରଭୃତି ଅଙ୍ଗମାନ ଏକ ଶାରୀରିକ ଭାବ ନେଇ ପ୍ରତିଷ୍ଠିତ ଥିଲା – ଏପରି ଜଣାପଡେ । ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର ନିର୍ମାଣ ପଦ୍ଧତି ବୈଦିକ ଚିନ୍ତାକୁ ମୂଳ କରି ଗଠିତ ହୋଇଥାଏ । ଶିଳ୍ପକଳା ଦୃଷ୍ଟିରୁ ଭାରତରେ ନାଗର, ବେସର ଓ ଦ୍ରାବିଡ ଏହି ୩ ପ୍ରକାର ଶିଳ୍ପାଚାର ମୁଖ୍ୟ ଭାବରେ ପ୍ରତ୍ୟକ୍ଷ ହୁଏ । ‘ଯୋଗାବିଶିଷ୍ଟ ରାମାୟଣ’ ର ଉତ୍ପତ୍ତି ପ୍ରକରଣରୁ ଜଣାଯାଏ – ଦ୍ରାବିଡ ପଦ୍ଧତି ମଧ୍ୟରେ ଆନ୍ଧ୍ର, କଳିଙ୍ଗ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ କଳା ରୂପେ ନିଆଯାଇପାରେ । ଯାହାର ପ୍ରବର୍ତ୍ତକ ପ୍ରଭାକର କଳିଙ୍ଗ ନାମରେ ଏକ ପ୍ରାଚୀନ ସ୍ଥାପକ ଜଣାପଡେ ଶ୍ରୀକ୍ଷେତ୍ରର ଏକ ବଳିଷ୍ଠ ପରମ୍ପରାରୁ ।
ଅକ୍ଷୟତୃତୀୟା ଦିନ ଶ୍ରୀଜଗନ୍ନାଙ୍କର ମୁଖ୍ୟ ପ୍ରତିନିଧି ବା ଉତ୍ସବ ମୂର୍ତ୍ତି ଯେତେବେଳେ ଚନ୍ଦନ ଯାତ୍ରାକୁ ବିଜେ କରନ୍ତି ସେତେବେଳେ ରାଜନଗର ସମ୍ମୁଖରେ ବୈଦିକ ବ୍ରାହ୍ଣଣମାନେ ବନଯାଗ ବିଧିରେ ରଥ ଅନୁକୂଳ କରାଇଥାଆନ୍ତି । ଏହି ବନଯାଗ ପୂର୍ବରୁ ଆଚରିତ ହୋଇଥାଏ ଓ ଦଶପଲ୍ଲା ରାଜବଂଶ ପ୍ରଥମ ବନଯାଗ କରି ନଦୀରେ ସେହି କାଷ୍ଠର ଭେଳା ବସାଇ ଦେଇଥାଆନ୍ତି । ହୁଳୁହୁଳିଆ କୂଳରେ ସେହି କାଠ ଲାଗିଲେ ସେଥିରୁ ଖଣ୍ଡ ମୁଖ୍ୟକାଠ ଅଣାଯାଇ ଅକ୍ଷୟ ତୃତୀୟାଦିନ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ । ସେହିଦିନ ରଥର ନାୟକମାନେ ଶୁଦ୍ଧପୁତ ଭାବରେ ଅକ୍ଷତ ଓ ନାରିକେଳ ସହ ନିଜର ମହାରଥଙ୍କୁ ପ୍ରଣାମ କରି ବୈଦିକ ବିଧିରେ ଯୋଗ ଦିଅନ୍ତି । ସେମାନେ ଯେଉଁ ମନ୍ତ୍ରରେ କୁଳଗୁରୁଙ୍କୁ ଅଭିନନ୍ଦନ କରନ୍ତି ସେଥିରୁ ଜଣାଯାଏ ପ୍ରଭାକର କଳିଙ୍ଗ ଏକଦା ପ୍ରବତ୍ତ ରଥକାରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ।
“ଶିଳ୍ପ କାଶ୍ୟପ ଗୋତ୍ରୟ ରଥକାର ବରାୟ ଚ
ପ୍ରଭାକର କଳିଙ୍ଗାୟ ନମସ୍ତେ ବାର୍ଦ୍ଧିକୀ ଗୁରୁଃ”
ଏହି ପ୍ରଭାବରେ ବର୍ଦ୍ଧିକୀଙ୍କର ରଚିତ ରଥ ନିର୍ମାଣ ପଦ୍ଧତି ଅନୁସାରେ ପୁରୀର ବିଦ୍ୱାନ ରଥ ନିର୍ମାଣ ହୋଇଥାଏ ।
“ବରୟେତ ଶୁଭ୍ର ଯୋଗେ ଚ ସପ୍ତକାରଃ ବିଧାନତଃ
ଅକ୍ଷୟତୃତୀୟା ୟାଂ ବନଯାଗ ସମାଚରେତ୍ ।।
ଗୁଣାକାର ରଥକାରଣ୍ଟ ଲୈାହକାର ବିଚକ୍ଷଣାଃ
ଛନ୍ଦକାର ରୂପକାରଣ୍ଟ ଚିତ୍ରକାର ଦୟସ୍ତଥା ।
ସୂଚୀକାର ସହ କୁର୍ଯ୍ୟାଦ୍ ମହାରଥ ବିଧାନତଃ ।”
ଏହି ସାତ ନିଯୋଗକୁ ନେଇ ରଥ କର୍ମ ସମୂର୍ଣ୍ଣ ହୁଏ ଓ ଏଥି ମଧ୍ୟରୁ ପ୍ରତ୍ୟେକଙ୍କର କାର୍ଯ୍ୟରେ ବିଶିଷ୍ଟ ଅଟନ୍ତି ।
ଗୁଣାକାର – (ରଥନାୟକ) ସମସ୍ତ ଅଙ୍ଗର ତାଳମାନ ଜାଣିବା ସ୍ଥାପନ ନିଯୋଗ
ରଥକାର – ପାହି ମହାରଣା ନିଯୋଗର ରଥର ସାଧାରଣ ଗଠନ କରି ବଢେଇ ନିଯୋଗ
ଲୈାହକାର – କମାର କଣ୍ଟା ନିଯୋଗ । ରଥର ଚକବଳା, କୁରାଣ୍ଡିଆ କଣ୍ଟା ପ୍ରଭୃତି ଲୈାହ ଉପାଦାନ ନିର୍ମାତା ନିଯୋଗ । ଏହିପରି ଭାବରେ ଅନେକ ନିଯୋଗ ରଥ କାର୍ଯ୍ୟରେ ଗୁରୁତ୍ୱ ପୂର୍ଣ୍ଣମା ଭୂମିକା ରହିଛି ।
ରଥକୁ ନେଇ ଅନେକ ଆଧ୍ୟାତ୍ମିକ ଦିଗ ମଧ୍ୟ ରହିଛି । ରଥ ନିର୍ମାଣର ଶୋଭା ବର୍ଣ୍ଣନାତ୍ମକ ଓ ଗୁଣ୍ଡିଚା ଯାତ୍ରା ବିଷୟରେ ‘ସ୍କନ୍ଦପୁରାଣୋକ୍ତ ଉକ୍ରଳ ଖଣ୍ଡ’ ପ୍ରାଚୀନ ଅଟନ୍ତି । ସେଥିରେ ଶ୍ରୀଗୁଣ୍ଡିଚାକୁ ତିନୋଟି ସ୍ୱତନ୍ତ୍ର ଉତ୍ସବ ବୋଲ କୁହାଯାଇଛି ।
“ମାଘ ମାସସ୍ୟ ପଞ୍ଚମ୍ୟା ଅଷୂମ୍ୟା ଚୈତ୍ର ଶୁକ୍କକେ
ଏତେ କାଳ ପ୍ରଶସ୍ତାହି ଗୁଣ୍ଡିଚାଖ୍ୟ ମହୋସô୍ବ
ବିଶେଷା – ମୋକ୍ଷଦାଷାଢ ଦ୍ଦତୀୟା ପୂଷ୍ୟ ସଂଯୁତା”
୧. କୋଣାର୍କ ମନ୍ଦିରର ପତ୍ତନ ହେବାପରେ ବସନ୍ତ ପଞ୍ଚମୀଠାରୁ ମାଘ ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ କୋଣାର୍କ କ୍ଷେତ୍ରରେ ‘ବସନ୍ତ ଗୁଣ୍ଡିଚା’ ଆଚରିତ ହେଉଥିଲା , ସମ୍ପ୍ରତ୍ତି ତାହା ପୁରୁଷୋତ୍ତମ କ୍ଷେତ୍ରର ବେଢାରେ ଆଚରିତ ହେଉଛି ।
୨. ଚୈତ୍ରଗୁଣ୍ଡିଚା ଭାବରେ ଉତ୍କଳରେ ତ୍ରିଭୁବନେଶ୍ୱରୀଙ୍କର ଅଶୋକାଷ୍ଟମୀ ଗୁଣ୍ଡିଚା ଅନୁଷ୍ଠିତ ହେଉଅଛି ଓ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଶ୍ରୀ ଲୋକନାଥ ମହାଦେବଙ୍କର ରଥୋତ୍ସବ ଅନୁଷ୍ଠିତ ହେଉଛି ଯାହାର ନାମ ‘ଚୈତ୍ର ଗୁଣ୍ଡିଚା’ ।
୩. ଆଷାଢରେ ରଥଯାତ୍ରା ମହାରଥ ଉତ୍ସବ ରୂପରେ ହେଉଛି ଏହାର ନାମ ‘ଦକ୍ଷିଣାମୁଖୀ ଯାତ୍ରା’ । ଏହି ତିନୋଟି ଗୁଣ୍ଡିଚା ସ୍କନ୍ଦପୁରାଣରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏତତ୍ବ୍ୟତିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶରତ ଗୁଣ୍ଡିଚା ନାମକ ଏକ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ ।