ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ଫେରାର

12,345

କନକ ବ୍ୟୁରୋ : ବଲିଉଡରେ ଡ୍ରାମ କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏହି ଅଭିନେତ୍ରୀଙ୍କ ଜୀବନରେ ସବୁବେଳେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଥାଏ   । ଯାହାକୁ ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କେବେ ବିବାଦୀୟ ବୟାନ ପାଇଁ ତ କେବେ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀଙ୍କ ସହ ଶନିବାର ଦିନ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା ସେ ନିଜେ କହିଛନ୍ତି । ଏହି ଘଟଣାକୁ ନେଇ ସେ ବିବ୍ରତ ରହିଥିବା ବେଳେ ଏବେ ଘଟଣା ବାବଦରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରାକ୍ଷୀ ସାୱନ୍ତ କହିଛନ୍ତି କି ତାଙ୍କ ଡ୍ରାଇଭର ତାଙ୍କର କାର ସହ ସୁନାର ମୋବାଇଲ ଓ କୋଟିଏ ଟଙ୍କା ଚୋରି କରି ଫେରାର ହୋଇଯାଇଛି । ଏହି ଘଟଣା ଜାଣିବା ପରେ ରାକ୍ଷୀ କହିଛନ୍ତି କି ଡ୍ରାଇଭର ଜଣଙ୍କ ଗରିବ କହିବାରୁ ତାଙ୍କୁ ସେ ଚାକିରିରେ ରଖିଥିଲେ । ଏହାସହ ଫେରାର ହୋଇଯାଇଥିବା ଡ୍ରାଇଭରର ଭଉଣୀ ଏବେ ରାକ୍ଷୀଙ୍କ ଘରେ କାମ କରୁଥିବା କଥା ରାକ୍ଷୀ କହିଛନ୍ତି । ଏନେଇ ରାକ୍ଷୀ ସାୱନ୍ତ ଡ୍ରାଇଭର ପପୁ ଯାଦବଙ୍କ ନାମରେ ଓଶିବାରା ଥାନାରେ ଅଭିଯୋଗ କରିଛନ୍ତି ।

ରାକ୍ଷୀ ସାୱନ୍ତଙ୍କ କାର ତାଙ୍କ ଡ୍ରାଇଭର ଚୋରି କରି ନେବା ପରେ ରାକ୍ଷୀ ସୋସିଆଲ ମିଡିଆରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ଅଟୋରେ ଯାଉଥିବାର ଦେଖିବାକୁ ମିଳିଛି । ଏଥିରେ ସେ କହୁଛନ୍ତି କି ଯେତେବେଳେ ସାରା ଦେଶ ଚନ୍ଦ୍ରଯାନ-୩କୁ ନେଇ ଖୁସି ମନାଉଛନ୍ତି ସେତେବେଳେ ତାଙ୍କ ଡ୍ରାଇଭର ତାଙ୍କ ଜୀବନରେ ଗ୍ରହଣ ଲଗାଇ ଚାଲିଯାଇଛି ।