ରାଜସ୍ଥାନ ପାଇବ ନୂଆ ମୁଖ୍ୟମନ୍ତ୍ରୀ : କଂଗ୍ରେସ ନେତା କେସି ଭେଣୁଗୋପାଳ କହିଲେ…

321

କନକ ବ୍ୟୁରୋ : ରାଜସ୍ଥାନ ପାଇବ ନୂଆ ମୁଖ୍ୟମନ୍ତ୍ରୀ । କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ତଥା ମହାସଚିବ କେସି ଭେନୁଗୋପାଳ ଏହା କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । କୌଣସି ପ୍ରକାର ନାଟକକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଅଶୋକ ଗେହଲଟ ଇସ୍ତଫା ଦେବେ ବୋଲି ସୂଚନା ରହିଛି । ଅନ୍ୟପଟେ କିଛି ସମୟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନ କଂଗ୍ରେସରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେବା ପରେ ପ୍ରଥମଥର ପାଇଁ ସୋନିଆଙ୍କୁ ଭେଟିବାକୁ ଯାଉଛନ୍ତି ଗେହଲଟ ।

ଗତକାଲି ବିଳମ୍ବିତ ରାତିରେ ଆସି ସେ ଦିଲ୍ଲୀରେ ପହଂଚିଛନ୍ତି । ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ହେଲେ ଏଯାବତ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ, ଶଶୀ ଥରୁର ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ରାଜସ୍ଥାନ ରାଜନୀତିରେ ହଟଚମଟ ପୂର୍ବରୁ ଅଶୋକ ଗେହଲଟ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଥିଲା । ଏବେ କିନ୍ତୁ ରାଜସ୍ଥାନ ରାଜନୀତିରେ ହଟଚମଟ ପରେ ଅଶୋକ ଗେହଲଟଙ୍କୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ସୂଚନା ରହିଛି । ତେଣୁ ନୂଆ ଅଧ୍ୟକ୍ଷ କିଏ ହେବେ ସେ ନେଇ ସସପେନ୍ସରେ ଦଳୀୟ ନେତା ।