ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା : ଖରାପ ପାଗ ଯୋଗୁଁ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଫେରିଗଲା ୨ଟି ବିମାନ

33

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ଲୋକଙ୍କୁ ତାତିରୁ ଅଳ୍ପମାତ୍ରାରେ ଆଶ୍ୱସ୍ତି ମିଳିଛି । ତେବେ ଏଭଳି ପାଗ ଆଗକୁ ଆହୁରି ୩ ଦିନ ଧରି ଲାଗିରହିବ । କନ୍ଧମାଳ, କୋରାପୁଟ, କଟକ, ଖୋର୍ଦ୍ଧା ଓ ଦେବଗଡରେ କାଳବୈଶାଖୀର ସମ୍ଭାବନା ଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ଗଂଜାମ, ଗଜପତି ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି ।

ସେପଟେ ଭୁବନେଶ୍ୱରେ କାଳବୈଶାଖୀ ପ୍ରଭାବରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖରାପ ପାଗ ଯୋଗୁଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ୨ଟି ଇଣ୍ଡିଗୋ ବିମାନ ଫେରିଯାଇଛି । ଅବତରଣ ପାଇଁ ଅନୁମତି ନମିଳିବାରୁ ବାଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଏୟାରଲାଇନସ୍ ବିମାନ ଦିଗ ପରିବର୍ତନ କରି କୋଲକାତା ଅଭିମୁଖେ ଉଡାଣ କରିଛି । ସେହିଭଳି କୋଲକାତାରୁ ଆସୁଥିବା ଇଣ୍ଡିଗୋ ଏୟାରଲାଇନସ୍ ବିମାନଟି ଅବତରଣ ନକରି ପୂନର୍ବାର କୋଲକାତା ଫେରି ଯାଇଛି । ଫଳରେ ଯାତ୍ରାମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।