ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା । ପ୍ରତିଟି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବ ରେଳବାଇ । ଗୁରୁତରଙ୍କୁ ଅଢେଇ ଲକ୍ଷ, ଆହତଙ୍କୁ ୫୦ ହଜାର

507

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏବେ ମୃତକ ଏବଂ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ପ୍ରତିଟି ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିବା ସହ ଦୁର୍ଘଟଣାରେ ଆହତ ହେଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ମୁତାବକ, ରେଳବାଇ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ଗୁରୁତର ଆହତଙ୍କୁ ଅଢେଇ ଲକ୍ଷ ଏବଂ ସାମାନ୍ୟ ଆହତ ହେଇଥିବା ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ନିଉ ଜଲପାଇଗୁଡିରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଗୋଟିଏ ମାଲବାହୀ ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେବାରୁ ଏହି ବଡ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ୍ ହେଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହେଇସାରିଥିବାବେଳେ, ଆହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ମାନବୀୟ ଭୁଲ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।