ରାହୁଲ ଗାନ୍ଧୀ ଓ ମନମୋହନ ସିଂହ ବିନା ନିର୍ବାଚନ ଲଢି ହେବେ CWC ସଦସ୍ୟ । କଂଗ୍ରେସର ରାୟପୁର ଅଧିବେଶନରେ ନିଆଯାଇପାରେ ବଡ ନିଷ୍ପତ୍ତି ।

123

କନକ ବ୍ୟୁରୋ: ବିନା ନିର୍ବାଚନ ଲଢି କଂଗ୍ରେସ କାର୍ଯ୍ୟକାରୀ ସମିତିରେ ସାମିଲ ହୋଇପାରନ୍ତି ରାହୁଲ ଗାନ୍ଧୀ ଓ ମନମୋହନ ସିଂହ । ଛତିଶଗଡର ରାଜଧାନୀ ରାୟପୁରରେ ଆୟୋଜିତ ହେବାକୁ ଥିବା କଂଗ୍ରେସ ପ୍ଲେନାରୀ ସେସନରେ ଏନେଇ ନିଷ୍ପତ୍ତି ନିଆଯିବ । ତେବେ କଂଗ୍ରେସର ସମ୍ବିଧାନ ପରିବର୍ତ୍ତନ କରି ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି । ଯାହା ଫଳରେ କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷ ଓ ଦେଶର ପୂର୍ବତନ ପିଏମ୍ କୌଣସି ବି ନିର୍ବାଚନ ନ ଲଢି କଂଗ୍ରେସ ସିଡବ୍ଲ୍ୟୁସିରେ ସାମିଲ ହୋଇପାରିବେ ।

ରାୟପୁରରେ ଫେବୃଆରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ପ୍ଲେନାରୀ ସେସନ୍ ହେବାକୁ ଅଛି । କୁହାଯାଉଛି ୧୯୯୭ ମସିହା ପରେ ସିଡବ୍ଲୁସି ଅର୍ଥାତ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିର୍ବାଚନ ହେବା ନେଇ ଏଥିରେ ନିଷ୍ପତ୍ତି ନିଆଯିବ । ତେବେ ଯଦି ଏପରି ହୁଏ, ତେବେ ୨୫ ଜଣିଆ ଏହି କଂଗ୍ରେସ କାର୍ଯ୍ୟକାରୀ କମିଟି ପାଇଁ ଖୁବଶୀଘ୍ର ନିର୍ବାଚନ ହୋଇପାରେ ।

କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ସଂଖ୍ୟା ୨୫ ଅଟେ । ଏହି ସଦସ୍ୟଙ୍କ ଭିତରୁ ୧୨ ଜଣ ନିର୍ବାଚିତ ସଦସ୍ୟ ହୋଇଥିବାବେଳେ, ୧୧ ଜଣ ସଦସ୍ୟଙ୍କୁ ଦଳର ଅଧ୍ୟକ୍ଷ ମନୋନୀତ କରିଥାନ୍ତି । ଏହାସହ ସଂସଦୀୟ ଦଳର ନେତା ଓ ଦଳର ଅଧ୍ୟକ୍ଷ ମଧ୍ୟ ଏହି ସିଡବ୍ଲ୍ୟୁସିର ସଦସ୍ୟ ରହିଥାନ୍ତି । ହେଲେ ଚଳିତ ଥର କିନ୍ତୁ ରାହୁଲ ଗାନ୍ଧୀ ଓ ମନମୋହନ ସିଂହଙ୍କୁ ସିଡବ୍ଲ୍ୟୁସିର ଆଜୀବନ ସଦସ୍ୟ କରିବାକୁ ଯୋଜନା କରାଯାଉଛି ।

ସୂଚନା ମୁତାବକ, କଂଗ୍ରେସ କାର୍ଯ୍ୟକାରୀ କମିଟି ନିର୍ବାଚନ ହେଲେ ଗାନ୍ଧୀ ପରିବାର ତରଫରୁ ପ୍ରିୟଙ୍କା ଗାନ୍ଧୀ ଏହି ନିର୍ବାଚନ ଲଢିପାରନ୍ତି । ତାଙ୍କ ସହିତ ଦିଗବିଜୟ ସିଂହ, ଶଶି ଥରୁର୍, ପବନ ଖେଡାଙ୍କ ସହିତ ଅନ୍ୟ ନେତାମାନେ ଏହି ନିର୍ବାଚନ ଲଢିପାରନ୍ତି । ତେବେ କଂଗ୍ରେସ ଅଧ୍ୟକ୍ଷ ଓ ସଂସଦୀୟ ଦଳ ଅଧ୍ୟକ୍ଷ ହେବା ଦୃଷ୍ଟିରୁ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀ ସ୍ୱତଃ ସିଡବ୍ଲ୍ୟୁସିର ସଦସ୍ୟ ହେବେ ।