ରାଜନୀତିରେ ପାଦ ଦେବେ କି ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର, ଜାଣନ୍ତୁ କ’ଣ ରଖିଲେ ଉତ୍ତର ?

279

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମପାଳିରେ ରଘୁରାମ ରାଜନଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ୮ବର୍ଷ ପରେ ପୁଣିଥରେ ରଘୁରାମ ରାଜନ ଚର୍ଚ୍ଚାକୁ ଫେରିଛନ୍ତି । କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରାରେ ରଘୁରାମ ରାଜନ ଯୋଗଦେବା ପରେ ସେ ରାଜନୀତିରେ ଯୋଗ ଦେବା ନେଇ ଅଲୋଚନା ଜୋର ଧରିଛି । ରଘରାମ ରାଜନ ଡିସେମ୍ବର ୧୪ ତାରିଖରେ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ । ଏହି ସମୟରେ ରଘୁରାମ ରାଜନଙ୍କର ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଛି । ଏଥିରେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଅନେକ କଥା ମଧ୍ୟ କହିଛନ୍ତି ।

ଆଜି ପୁଣିଥରେ ଏକ ଜାତୀୟ ଗଣମାଧ୍ୟମ ରଘୁରାମ ରାଜନଙ୍କ ସହ ଆଲୋଚନା କରିଛି । ଏଥିରେ ଭାରତ ଯୋଡ ଯାତ୍ରାରେ ସେ କାହିଁକି ଯୋଗ ଦେଇଥିଲେ ବୋଲି ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତର ଦେବାକୁ ଯାଇ କହିଥିଲେ କି ଦେଶର ଜଣେ ନାଗରିକ ଭାବେ ଭାରତ ଯୋଡ ଯାତ୍ରାରେ ଯୋଗଦେବା ନିହାତି ଜରୁରୀ ଥିଲା । ସେ ଆହୁରି କହିଛନ୍ତି କି, ଭାରତର ସବୁଠାରୁ ବଡଶକ୍ତି ହେଉଛି ଦେଶର ଲୋକତନ୍ତ୍ର । ହେଲେ ଏବେ ଦେଶରେ ସମାନତା ଓ ସର୍ବଧର୍ମ ଭାବନା ଉପରେ ବିପଦ ରହିଛି । ଜଣେ ନାଗରିକ ଭାବେ ଦେଶର ସମସ୍ୟା ସହ ସେ ପରିଚିତ ଅଛନ୍ତି । ଏଣୁ ଏହାର ସମାଧାନ ପାଇଁ ତାଙ୍କ ଉପରେ ମଧ୍ୟ ଦାୟୀତ୍ୱ ରହିଛି । ସେ କହିଛନ୍ତି କି ଭାରତଯୋଡ ଯାତ୍ରାରେ ଜଣେ ନାଗରିକ ଭାବେ ସେ ଯୋଗ ଦେଇଥିଲେ । ଏଥିରେ କୌଣସି ରାଜନୈତିକ ଅର୍ଥ ନାହିଁ ।

ରାଜନୀତିରେ ଯୋଗ ଦେଉଛନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ ରଘୁରାମ ରାଜନ କହିଛନ୍ତି କି, ରାଜନୀତିରେ ଯୋଗଦେବା ନେଇ ତାଙ୍କର କୌଣସି ଆଗ୍ରହ ନାହିଁ । ଭାରତ ଯୋଡ ଯାତ୍ରାରେ ଯୋଗଦେବା ସହ ରାଜନୀତିକୁ ଯୋଡିବାରେ କୌଣସି ଆଧାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।