ଆଜି ଗାଁକୁ ଫେରିବ ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥୀବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

205

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ମର ଶରୀର ଆଜି ଓଡ଼ିଶା ପହଞ୍ଚିବ । ଆଉ କିଛି ସମୟ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବଶରୀର ପହଞ୍ଚିବ । ପରେ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିକୁ ନିଆଯିବ । ପ୍ରଶାସନ ପକ୍ଷରୁ ସହିଦ ଦେବାଷିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଦେବାଶିଷଙ୍କ ପାର୍ଥିବ ଶରୀର ଗତକାଲି ଆସିବାର ଥିଲା । କିନ୍ତୁ ବିମାନ ଚଳାଚଳରେ ତ୍ରୁଟି ଯୋଗୁଁ ଆଜି ତାଙ୍କର ମରଶରୀର ଆସିବ । ଦେବାଶିଷଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଠାରୁ ଆରମ୍ଭ କରି ସାରା ରାଜ୍ୟକୁ ଶୋକରେ ବୁଡ଼ାଇ ଦେଇଛି । ଆଉ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅନୁକମ୍ପା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଏଭଳି ଦାରୁଣ ଦୁଖଃ ସହ୍ୟ କରିବାକୁ ଭଗବାନ ପୂରା ପରିବାରକୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୀର ଯବାନ ସହିଦ ଦେବାଶିଷ ବିଶ୍ୱାଳଙ୍କ ପତ୍ନୀଙ୍କ ଉପରେ ଦୁଃଖର ପାହାଡ଼ ଓଜାଡି ହୋଇପଡ଼ିଛି । ତାଙ୍କ ସଂସାର ଉଜୁଡ଼ି ଯାଇଛି । ଆଖିରୁ ଲୁହ ଶୁଖୁନି, ପାଟିରୁ ତାଙ୍କର କଥା ବାହାରୁନି । ତାଙ୍କ ଦାମ୍ପତ୍ୟ ଜୀବନରେ ଏପରି ସମୟ ଆସିବ, କେବେ କଳ୍ପନା ମଧ୍ୟ କରିନଥିଲେ । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପତ୍ନୀଙ୍କ ସହ ନିକଟରେ କଥା ହୋଇଥିଲେ ଦେବାଶିଷ । କହିଥିଲେ, ଘରକୁ ଯିବା ପାଇଁ ସେ ଟିକେଟ କରିସାରିଛନ୍ତି । ଘରକୁ ଆସି ଝିଅ ସହ ସମୟ କାଟିବେ ବୋଲି କହିଥିଲେ । କିନ୍ତୁ ଏହା ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି ଦେବାଶିଷ ।