ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାଙ୍କୁ ନେଇ ଆଜି ବସିବ ରଥ ସମନ୍ୱୟ ବୈଠକ । ଶୃଙ୍ଖଳିତ ନୀତି ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ହେବ ଆଲୋଚନା

75

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆଜି ବସୁଛି ରଥ ସମନ୍ୱୟ ବୈଠକ । ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରାକୁ ନେଇ ଆଜି ରଥ ସମନ୍ୱୟ ବୈଠକ ବସୁଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଶୃଙ୍ଖଳିତ ନୀତି. ପୋଲିସ ଓ ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋଚନା ହେବ । କରୋନା କାରଣରୁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ କୋଭିଡ୍ ସ୍ଥିତିକୁ ଦେଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ବୈଠକରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ଦିନରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ୱ ପାଇଁ କାଠ କଟା କାମ ଆରମ୍ଭ ହୋଇଛି। କରତି ସେବକମାନେ କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ଆରମ୍ଭ କରିଛନ୍ତି । ତିନି ରଥ ପାଇଁ ତୁମ୍ବ କାଠ କାଟି ରଥଖଳାରେ ବିଶ୍ବକର୍ମାମାନଙ୍କ ଜିମା ଦେବା ପରେ ବିଶ୍ୱକର୍ମାମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିବେ । କରତିଙ୍କ ସହ ମହାରଣା ଓ ଭୋଇ ସେବକଙ୍କୁ ନେଇ ପ୍ରଥମ ଦିନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହାତକାଠିରେ ମାପ ହୋଇ କାଠ ଗଣ୍ଡିରୁ ତୁମ୍ୱ ପାଇଁ କାଠ କଟା ଯିବା ପରେ ୧୦ ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ କୁଆଁରରେ କାଠର ମଞ୍ଜରେ ଗୋଲାକାର କଳା ଦାଗ ଦିଆଯିବ । ଏହାପରେ ନିହଣ, ମୁଗୁର ଓ ବାର୍ସି ସହାୟତାରେ ବିଶ୍ୱକର୍ମାମାନେ ନିର୍ମାଣ କାମ ଆରମ୍ଭ କରିବେ ।