ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ : ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଫଟୋରୁ ସ୍ପଷ୍ଟ ହେଉଛି ସମୁଦ୍ର ଭିତରର ହଲଚଲର ଦୃଶ୍ୟ

334

କନକ ବ୍ୟୁରୋ : ସକ୍ରିୟ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେମିତି ରହିଛି ସମୁଦ୍ର ଭିତରର ଅବସ୍ଥା । ମହାକାଶରୁ ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଏହି ଫଟୋ ସମୁଦ୍ର ଭିତରର ସ୍ଥିତିକୁ ବୟାନ କରୁଛି ।

ଫଟୋରୁ ଜଣାପଡୁଛି ସମୁଦ୍ର ଭିତରେ ହଲଚଲ ଆରମ୍ଭ ହୋଇଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହାପରେ ଲଘୁଚାପ, ବାତ୍ୟାର ରୂପ ନେବ କି ନାହିଁ, ଯଦି ହେବ କେତେ ଭୀଷଣ ହେବ, କୁଆଡେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରକୋପ କେତେ ଥିବ, ଏନେଇ ଚିତ୍ର ସ୍ପଷ୍ଟ ହୋଇନି ।

ଲଘୁଚାପ ହେବା ପରେ ବାତ୍ୟା ନେଇ ସଠିକ ଆକଳନ କରିହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ୬ ତାରିଖ ପରେ ଏହାର ଗତିପଥ ଜାଣିପଡ଼ିବ ।